କୋଲକାତା: ପଶ୍ଚିମବଙ୍ଗରେ ୧୫ ବର୍ଷର ତୃଣମୂଳ କଂଗ୍ରେସ (TMC) ଶାସନର ଅନ୍ତ ଘଟାଇ ବିଜେପି ଏକ ଐତିହାସିକ ବିଜୟ ହାସଲ କରିଛି । ଶୁକ୍ରବାର ଦିନ କୋଲକାତାରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି ।
ନୂଆ ସରକାର ଗଠନ ପାଇଁ ଦାବି ଜଣାଇବା ପରେ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ଏକ ସ୍ୱଚ୍ଛ ଶାସନ ପ୍ରଦାନ କରିବାକୁ ସଂକଳ୍ପ ନେଇଛନ୍ତି । ତାଙ୍କ ସରକାରର କିଛି ମୁଖ୍ୟ ଏଜେଣ୍ଡା ହେଲା:
ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ସରକାର ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତିର କଠୋର ଯାଞ୍ଚ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆର.ଜି କର ମାମଲାର ତଦନ୍ତ: ସାରା ଦେଶକୁ ହଲାଇ ଦେଇଥିବା ଆର.ଜି କର ମେଡିକାଲ କଲେଜ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଅଧିକ ବେଗବାନ କରାଯିବ ।
ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ସୁରକ୍ଷା ବଢ଼ାଇବା ସହ ସିସିଟିଭି କ୍ୟାମେରା ସ୍ଥାପନରେ ହୋଇଥିବା ଦୁର୍ନୀତିର ମଧ୍ୟ ଯାଞ୍ଚ ହେବ ।
ଶନିବାର (ମେ ୯, ୨୦୨୬) ପୂର୍ବାହ୍ନ ୧୧ଟାରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ପରାସ୍ତ କରି ଶୁଭେନ୍ଦୁ ଏହି ବିଜୟ ହାସଲ କରିଛନ୍ତି । ବିଜେପି ସାଂସଦ ସୁକାନ୍ତ ମଜୁମଦାର କହିଛନ୍ତି ଯେ, ଶୁଭେନ୍ଦୁଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗକୁ ଏକ “ସୋନାର ବାଂଲା”ରେ ପରିଣତ କରିବା ପାଇଁ କାର୍ଯ୍ୟ କରାଯିବ ।