ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଇତିହାସ ରଚିଲେ ଅଭିନେତା ବିଜୟ। ରବିବାର ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବିଜୟଙ୍କ ସହ ତାଙ୍କ ଦଳ ‘ତାମିଲଗା ଭେଟ୍ରି କାଜଗମ’ (TVK) ର ଅନ୍ୟ ୯ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି।
କଂଗ୍ରେସ ଓ ଅନ୍ୟ ସହଯୋଗୀଙ୍କ ସମର୍ଥନରେ ସରକାର
ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ TVK ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ବହୁମତ ପାଇଁ ୧୧୮ଟି ଆସନର ଆବଶ୍ୟକତା ଥିବାବେଳେ କଂଗ୍ରେସ (୫), CPI, CPI(M), VCK ଏବଂ IUML ର ସମର୍ଥନ ପରେ ବିଜୟଙ୍କ ପାଖରେ ମୋଟ ୧୨୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏହାପରେ ରାଜ୍ୟପାଳ ତାଙ୍କୁ ସରକାର ଗଢ଼ିବାକୁ ନିମନ୍ତ୍ରଣ କରିଥିଲେ।
ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ଓ କର୍ମୀ ଷ୍ଟାଡିୟମ ବାହାରେ ଜମା ହୋଇଥିଲେ। ୫୯ ବର୍ଷ ପରେ ତାମିଲନାଡୁରେ ଜଣେ ଅଣ-ଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଶାସନ ଗାଦିରେ ବସିଛନ୍ତି, ଯାହାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।
ଆଗକୁ ରହିଛି ‘ଫ୍ଲୋର୍ ଟେଷ୍ଟ’
ଶପଥ ଗ୍ରହଣ କରିବା ପରେ ବିଜୟଙ୍କୁ ଆସନ୍ତା ମେ’ ୧୩ ତାରିଖ ସୁଦ୍ଧା ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ। ବର୍ତ୍ତମାନ ପାଇଁ ବିଜୟ ଏକ ମିଳିତ ସରକାରର ନେତୃତ୍ୱ ନେଉଛନ୍ତି, ଯେଉଁଥିରେ କଂଗ୍ରେସ ଏକ ପ୍ରମୁଖ ସହଯୋଗୀ ଦଳ ଭାବେ ରହିଛି।