ବେଙ୍ଗାଲୁରୁ: କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁର ଏଚ୍.ଏ.ଏଲ୍ (HAL) ବିମାନ ବନ୍ଦର ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ତାମିଲନାଡୁରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ଏବଂ ଡିଏମକେ (DMK) ସହ କଂଗ୍ରେସର ସମ୍ପର୍କକୁ ନେଇ ସେ ବଡ଼ ବୟାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଏକ ‘ପରଜୀବୀ’ (Parasitic) ଦଳ। ଯେଉଁ ଡିଏମକେ ଗତ ୨୫-୩୦ ବର୍ଷ ଧରି କଂଗ୍ରେସକୁ ସାହାଯ୍ୟ କରିଆସୁଥିଲା ଏବଂ ୨୦୧୪ ପୂର୍ବରୁ ୧୦ ବର୍ଷ ଶାସନରେ ରହିବାରେ ସହଯୋଗ କରିଥିଲା, ସୁଯୋଗ ମିଳିବା କ୍ଷଣି କଂଗ୍ରେସ ସେହି ଡିଏମକେର ପିଠିରେ ଛୁରି ଭୋକିଛି।
ତାମିଲନାଡୁରେ ନିକଟରେ ଶେଷ ହୋଇଥିବା ନିର୍ବାଚନ ପରେ କଂଗ୍ରେସ ନିଜର ସ୍ୱାର୍ଥ ପାଇଁ ସହଯୋଗୀଙ୍କ ସାଥ୍ ଛାଡ଼ିଦେଇଛି, ଯାହା ତାଙ୍କର ସୁବିଧାବାଦୀ ଚରିତ୍ରକୁ ଦର୍ଶାଉଛି।
କର୍ଣ୍ଣାଟକର ଶାସକ କଂଗ୍ରେସ ସରକାର ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଷିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ବିକାଶ ବଦଳରେ କେବଳ ‘ଆଭ୍ୟନ୍ତରୀଣ କନ୍ଦଳ’ ଚାଲିଛି। ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ସେଥିରେ ହିଁ ସରକାରଙ୍କ ସମୟ ନଷ୍ଟ ହେଉଛି।
ହିମାଚଳ ପ୍ରଦେଶରେ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ ଏବଂ ତେଲେଙ୍ଗାନାରେ ଚାଷୀମାନେ ଆତ୍ମହତ୍ୟା କରୁଛନ୍ତି। ଯେଉଁଠି କଂଗ୍ରେସ ସରକାର ଅଛି, ସେଠାରେ କେବଳ ଲୁଟ୍ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ‘ଆର୍ଟ ଅଫ୍ ଲିଭିଙ୍ଗ’ (Art of Living) ର ୪୫ତମ ବାର୍ଷିକୋତ୍ସବ ଏବଂ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ଜନ୍ମଦିନ ସମାରୋହରେ ମଧ୍ୟ ଯୋଗ ଦେଇଛନ୍ତି। ଏହାପରେ ସେ ହାଇଦ୍ରାବାଦ ଗସ୍ତ କରି କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।