Latest Odisha News

BREAKING NEWS

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ; ଆଜି ଏସବୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା..

ଭୁବନେଶ୍ବର: ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । ବର୍ତ୍ତମାନ ଏହି ସିଷ୍ଟମ୍ ଏହାର ପ୍ରାଥମିକ ସ୍ତରରେ ଅଛି ।

ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ବାତ୍ୟାର ଆଶଙ୍କା ନାହିଁ, ତଥାପି ଆସନ୍ତା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏହାର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହେବ । ଏହି ଲଘୁଚାପ ଯୋଗୁଁ ଉପକୂଳବର୍ତ୍ତୀ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ବର୍ଷା ଓ ବଜ୍ରପାତର ପରିମାଣ ବଢ଼ିବ । ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।

ରାଜ୍ୟରେ ମେ ମାସ ମଧ୍ୟ ଭାଗରେ କାଳବୈଶାଖୀ, ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ପବନ ଓ ବର୍ଷା ପରିମାଣ ବଢ଼ିପାରେ । ଉପକୂଳ ଜିଲ୍ଲାରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ଗତି ବଢ଼ିପାରେ । ପୁଣି ଅସମ୍ଭାଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ ବୋଲି ବରିଷ୍ଠ କୃଷି ପାଣିପାଗବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ସୋମବାର କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୧୨ ଓ ୧୩ ତାରିଖରେ ମଧ୍ୟ ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ । ତେବେ ରବିବାର ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ନୂଆପଡ଼ାରେ ସର୍ବାଧିକ ୩୯ ଓ ସୋନପୁରରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଥିଲା ।

Leave A Reply

Your email address will not be published.