Latest Odisha News

BREAKING NEWS

ବାଲିଅନ୍ତା ପୋଲିସ କାହାକୁ ସୁରକ୍ଷା ଦେଉଛି? ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ତଦନ୍ତ ନା ନାଟକ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ପୋଲିସ ପୁଣି ଥରେ ବିବାଦ ଘେରକୁ ଆସିଛି। ରେଲଓ୍ୱେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ, ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗ୍ରାମବାସୀ ଓ ପରିବାର ଲୋକଙ୍କ କହିବା କଥା, ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଉନାହିଁ।

ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ନେଇ ଏବେ ବାଲିଅନ୍ତା ଥାନା ପୋଲିସ କାଠଗଡ଼ାରେ। ଏହା ଏକ ସ୍ପଷ୍ଟ ମବ୍ ଲିଞ୍ଚିଂ ବା ଗୋଷ୍ଠୀବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହେଉଥିବା ବେଳେ, ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ପରିବାର ଲୋକଙ୍କ ସିଧା ଅଭିଯୋଗ, ପୋଲିସ ତଦନ୍ତ ନୁହେଁ, ବରଂ ନ୍ୟାୟ ନାଁରେ ନାଟକ କରୁଛି।

ଘଟଣା ଘଟିବାର ଏତେ ଦିନ ପରେ ବି ପୋଲିସର ହାତ କାହିଁକି ଖାଲି? ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା କରାଯିବା ପଛରେ ଥିବା ଅସଲ ଅଭିଯୁକ୍ତଙ୍କ ପାଖରେ ପୋଲିସ କାହିଁକି ପହଞ୍ଚି ପାରୁନାହିଁ? ସ୍ଥାନୀୟ ଲୋକଙ୍କ କହିବା କଥା, ପୋଲିସ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି। ଯଦି ପୋଲିସ ପାଖରେ ପ୍ରମାଣ ଅଛି, ତେବେ ଗିରଫଦାରୀରେ ଏତେ ବିଳମ୍ବ କାହିଁକି?

ଅଭିଯୋଗ ହେଉଛି ଯେ, ଘଟଣାକୁ ଚାପି ଦେବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ ଚାଲିଛି। ସୌମ୍ୟରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ତାହା ପୋଲିସ ଆଖିରେ କାହିଁକି ହତ୍ୟା ଭଳି ମନେ ହେଉନି? କ’ଣ ପାଇଁ ମାମଲାକୁ ହାଲୁକା ଭାବେ ନିଆଯାଉଛି? ପୋଲିସର ଏହି ଶିଥିଳତା ଏବେ ଏକ ବଡ଼ ଷଡ଼ଯନ୍ତ୍ର ଆଡ଼କୁ ଇସାରା କରୁଛି। ପୂର୍ବରୁ ମଧ୍ୟ ବାଲିଅନ୍ତା ପୋଲିସ ବିରୋଧରେ କର୍ତ୍ତବ୍ୟରେ ଅବହେଳା ନେଇ ଅନେକ ଅଭିଯୋଗ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ଅସଦାଚରଣ ମାମଲାରେ ସୌମ୍ୟରଞ୍ଜନଙ୍କୁ କିଛି ଲୋକ ଏକାଠି ହୋଇ ନିର୍ଘାତ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ରହିଛି।

ଗୋଟିଏ ପଟେ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ, ଅନ୍ୟପଟେ ପୋଲିସର ଅସହଯୋଗ ସେମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ଥାନାକୁ ଦୌଡ଼ି ଦୌଡ଼ି ଥକି ଗଲେଣି ସୌମ୍ୟଙ୍କ ସମ୍ପର୍କୀୟ, କିନ୍ତୁ ମିଳୁଛି କେବଳ ପ୍ରତିଶ୍ରୁତି।

ଅନ୍ୟପଟେ, ପୋଲିସ ପକ୍ଷରୁ କୁହାଯାଇଛି ଯେ ତଦନ୍ତ ଜାରି ରହିଛି ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି। ତେବେ ପୋଲିସର ଏହି ପାରମ୍ପରିକ ଉତ୍ତରରେ ଲୋକେ ଆଦୌ ସନ୍ତୁଷ୍ଟ ନାହାନ୍ତି। ଅନ୍ୟପଟେ ଏହି ମାମଲାରେ କ୍ରାଇମବ୍ରାଞ୍ଚର ଟିମ୍ ଏଣ୍ଟ୍ରି କରିଛି। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ତଦନ୍ତରେ ଅନେକ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.