ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ପାଇଁ ବଢ଼ିଲା ଅଡୁଆ। ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକଲିନଙ୍କୁ ଲାଗିଛି ବଡ଼ ଝଟକା। ସରକାରୀ ସାକ୍ଷୀ ବା ‘ଆପ୍ରୁଭର’ ସାଜିବା ପାଇଁ ଜ୍ୟାକଲିନ୍ କରିଥିବା ଆବେଦନକୁ କୋର୍ଟରେ ଜୋରଦାର ବିରୋଧ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ED।
ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୦୦ କୋଟି ଟଙ୍କା ଠକେଇ ମାମଲା ଏବେ ନୂଆ ମୋଡ଼ ନେଇଛି। ଜ୍ୟାକଲିନ୍ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ‘ସରକାରୀ ସାକ୍ଷୀ’ ହେବାକୁ କୋର୍ଟରେ ଅପିଲ କରିଥିଲେ। କିନ୍ତୁ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ବେଳେ ED ଏହାର ତୀବ୍ର ବିରୋଧ କରିଛି। ED ଅଭିଯୋଗ କରିଛି ଯେ, ଅଭିନେତ୍ରୀ ଜ୍ୟାକଲିନ୍ ତଦନ୍ତରେ ସହଯୋଗ କରୁନାହାନ୍ତି।
ED କୋର୍ଟଙ୍କୁ ଜଣାଇଛି ଯେ, PMLA ଆକ୍ଟର ଧାରା ୫୦ ଅନୁଯାୟୀ ଜ୍ୟାକଲିନ୍ ଦେଇଥିବା ବୟାନରେ ଅନେକ ତଥ୍ୟ ଲୁଚାଇଛନ୍ତି। ତଦନ୍ତ ସଂସ୍ଥାର ଦାବି ଅନୁଯାୟୀ, ସୁକେଶର ଅପରାଧିକ ପୃଷ୍ଠଭୂମି ବିଷୟରେ ଜାଣି ମଧ୍ୟ ଜ୍ୟାକଲିନ୍ ତାଙ୍କ ସହ ସମ୍ପର୍କ ରଖିଥିଲେ ଏବଂ କୋଟି କୋଟି ଟଙ୍କାର ମୂଲ୍ୟବାନ ଉପହାର ଗ୍ରହଣ କରିଥିଲେ। ଏହି କାରଣରୁ ତାଙ୍କୁ ସରକାରୀ ସାକ୍ଷୀ କରାଯାଇ ପାରିବ ନାହିଁ ବୋଲି ED ସ୍ପଷ୍ଟ କରିଛି। ଏଥିସହ ଇଡି ପକ୍ଷରୁ କୋର୍ଟଙ୍କୁ ଜଣାଇଛନ୍ତି ଯେ, ଜ୍ୟାକଲିନ୍ ତଦନ୍ତରେ ସହଯୋଗ କରୁନାହାନ୍ତି । ସୁକେଶର ଠକେଇ ବିଷୟରେ ସେ ପୂର୍ବରୁ ଜାଣିଥିଲେ। ବର୍ତ୍ତମାନ ସମସ୍ତଙ୍କ ନଜର ମେ’ ୧୨ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ଉପରେ, ଯେଉଁଠି ଜଣାପଡ଼ିବ ଜ୍ୟାକଲିନଙ୍କ ଭାଗ୍ୟ କେଉଁ ଆଡ଼କୁ ଯାଉଛି।