Latest Odisha News

BREAKING NEWS

Documentary on Odia artist Prafulla Mohanti:ପ୍ରଫୁଲ୍ଲ ମହାନ୍ତିଙ୍କ ଉପରେ ଆଧାରିତ ଡକ୍ୟୁମେଣ୍ଟାରୀକୁ ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ LGBTQIA+ର ମାନ୍ୟତା

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ନିର୍ମାତା ସୌମ୍ୟ ଜ୍ୟୋତି ପ୍ରତିହାରୀ ତାଙ୍କର ଡକ୍ୟୁମେଣ୍ଟାରୀ “ଶୂନ୍ୟ: ବିଇଂ ପ୍ରଫୁଲ୍ଲ ମହାନ୍ତି(Shunya: Being Prafulla Mohanti)” ମାଧ୍ୟମରେ ଏକ ଓଡ଼ିଆ କାହାଣୀ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଚଳଚ୍ଚିତ୍ରଟି ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ LGBTQIA+ ଚଳଚ୍ଚିତ୍ର ଭାବେ ‘ଟଙ୍ଗସ୍ ଅନ୍ ଫାୟାର ଫ୍ଲେମ୍ ପୁରସ୍କାର(Tongues on Fire Flame Award)’ ଜିତିଛି। ମେ ୬ ତାରିଖରେ ଲଣ୍ଡନର ରିଭରସାଇଡ୍ ଷ୍ଟୁଡିଓରେ ଚଳଚ୍ଚିତ୍ରଟିର ବିଶ୍ୱ ପ୍ରିମିୟର ହେବାର କିଛି ସମୟ ପରେ ହିଁ ଶ୍ରେଷ୍ଠ LGBTQIA+ ଚଳଚ୍ଚିତ୍ର ଭାବେ ପାଇଛି ମାନ୍ୟତା ।

ଏହି ଡକ୍ୟୁମେଣ୍ଟାରୀଟି ୯୧ ବର୍ଷୀୟ ଓଡ଼ିଆ କଳାକାର, ଲେଖକ ତଥା ସାଂସ୍କୃତିକ ଚିନ୍ତକ ପ୍ରଫୁଲ୍ଲ ମହାନ୍ତିଙ୍କ ଅସାଧାରଣ ଜୀବନ ଉପରେ କେନ୍ଦ୍ରିତ । ଯାହାଙ୍କ କାର୍ଯ୍ୟ ଦଶନ୍ଧି ଧରି ପରିଚୟ, ପ୍ରବାସ, ଆଧ୍ୟାତ୍ମିକତା ଏବଂ ମାନବ ସମ୍ପର୍କକୁ ଅନୁସନ୍ଧାନ କରିଆସିଛି।

ଏହି ଡକ୍ୟୁମେଣ୍ଟାରୀରେ ତାଙ୍କର ଜୀବନର କଳା ପ୍ରତି ଆଗ୍ରହ ଏବଂ ଯାତ୍ରା ବିଷୟରେ ଦର୍ଶାଯାଇଛି । ସେ କିପରି ଓଡ଼ିଶାର ଏକ ଛୋଟ ଗାଁରୁ ମୁମ୍ବାଇର ଜେଜେ ସ୍କୁଲ ଅଫ୍ ଆର୍ଟକୁ ଗଲେ, ଶେଷରେ ଇଂଲଣ୍ଡର ଜଣେ ସ୍ଥପତି ଏବଂ ନଗର ଯୋଜନାକାରୀ ହେଲେ ତାହା ଏଥିରେ ଅତି ସରଳ ଭାବେ ଦର୍ଶାଯାଇଛି । ଏଥିରେ ସେ ନିଜକୁ କିପରି ଚିତ୍ରକଳା ଏବଂ ସାହିତ୍ୟ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ ତାହା ମଧ୍ୟ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ।

ଏହି ଚଳଚ୍ଚିତ୍ରଟି ବ୍ରିଟେନକୁ ଯିବା ପରେ ପ୍ରଫୁଲ୍ଲ ମହାନ୍ତିଙ୍କ ଦ୍ୱାରା ଅନୁଭୂତ ଜାତିଭେଦ ଏବଂ ଏକାକୀତାକୁ ମଧ୍ୟ ଦେଖାଇଛି। ଲଣ୍ଡନରେ ଏକ ହିଂସାତ୍ମକ ଜାତିଭେଦ ଆକ୍ରମଣ ତାଙ୍କ ଜୀବନର ଏକ ମୋଡ଼ ପାଲଟିଥିଲା, ଯାହା ତାଙ୍କୁ ସହର ଯୋଜନାରୁ ଦୂରେଇ କଳା ଏବଂ ଲେଖାର ନିକଟତର କରିଥିଲା।

ପ୍ରଦୀପ୍ତା ଦାସଙ୍କ ଦ୍ୱାରା ନିର୍ମିତ, ଏହି ଡକ୍ୟୁମେଣ୍ଟାରୀଟି ପ୍ରଫୁଲ ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରତିଫଳନ କରିଛି | ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହାକୁ ମାନ୍ୟତା ମିଳିବା କେବଳ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଗୌରବର ମୁହୂର୍ତ୍ତ ନୁହେଁ ବରଂ ବିଶ୍ୱ ଦର୍ଶକ ଖୋଜୁଥିବା ଆଞ୍ଚଳିକ ଭାରତୀୟ କାହାଣୀ ପାଇଁ ମଧ୍ୟ ଏହା ଏକ ଖୁସି ଏବଂ ଗୌରବର ମୁହୂର୍ତ୍ତ ଅଟେ |

ଲଣ୍ଡନ ବିଶ୍ୱବିଦ୍ୟାଳୟର ଗୋଲ୍ଡସ୍ମିଥ୍ସର ପୂର୍ବତନ ଛାତ୍ର ସୌମ୍ୟ ପ୍ରାୟ ପାଞ୍ଚ ବର୍ଷ ଧରି ପ୍ରଫୁଲ୍ଲ ମହାନ୍ତିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ। ଏହି ଘନିଷ୍ଠ ସମ୍ପର୍କ ଡକ୍ୟୁମେଣ୍ଟାରୀକୁ ଅଧିକ ଜୀବନ୍ତ କରିଛି | ଯାହା ଦର୍ଶକଙ୍କୁ କେବଳ କଳାକାରଙ୍କ ସୃଜନଶୀଳ ପ୍ରକ୍ରିୟା ନୁହେଁ ବରଂ ତାଙ୍କ ଦୈନନ୍ଦିନ ଜୀବନର ନୀରବ, ଗଭୀର ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ସାକ୍ଷୀ କରିବାର ସୁଯୋଗ ଦିଏ।

ଏହି ଐତିହାସିକ ସଫଳତା ଉପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୌମ୍ୟ ଜ୍ୟୋତି ପ୍ରତିହାରୀ କୁହନ୍ତି, “ମୁଁ ବହୁତ ଖୁସି ଯେ, ଓଡ଼ିଆ ପେଣ୍ଟର ପ୍ରଫୁଲ୍ଲ ମହାନ୍ତିଙ୍କ ଉପରେ ଆଧାରିତ ମୋର ଫିଲ୍ମ ‘ଶୂନ୍ୟ: ବିଇଂ ପ୍ରଫୁଲ୍ଲ ମହାନ୍ତି’ UK Asian Film Festival ରେ ଶ୍ରେଷ୍ଠ LGBTQIA+ ଆୱାର୍ଡ ପାଇଲା ।”

Leave A Reply

Your email address will not be published.