ବଢୁଥିବା ତୈଳ ଦର ମଧ୍ୟରେ ଶକ୍ତି ସଂରକ୍ଷଣ, ସୀମିତ ସମ୍ବଳର ସଦୁପଯୋଗ ନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ରାଜ୍ୟପାଳଙ୍କ ଚିଠି
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ବରେ ତୈଲ ସଙ୍କଟ ଦେଖାଯାଇଛି । ଏଥିରୁ ଭାରତ ମଧ୍ୟ ବାଦ୍ ପଡିନି । ତେଲର ସଦୁପଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଲା ପରେ ଏହାକୁ ପ୍ରାୟ ସବୁ ଅନୁଷ୍ଠାନ ପକ୍ଷରୁ ପାଳନ ନେଇ ଚେଷ୍ଟା ଜାରି ରହିଛି । ଏହି କ୍ରମରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଆସିଛି ।
ଶକ୍ତି ସଂରକ୍ଷଣ, ସୀମିତ ସମ୍ବଳର ସଦୁପଯୋଗ ଏବଂ ପରିବେଶ ସୁରକ୍ଷାର ଏକ ନୂଆ ବିପ୍ଳବ ଆରମ୍ଭ କରିବାକୁ ରାଜ୍ୟପାଳଙ୍କ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ମାଧ୍ୟମରେ ଆହ୍ୱାନ କରାଯାଇଛି । ତେବେ ଚିଠିରେ ଉଲ୍ଲେଖ ରକହିଛି ଯେ, ଅନାବଶ୍ୟକ ସରକାରୀ ଯାନବାହାନର ବ୍ୟବହାରକୁ ସର୍ବନିମ୍ନ କରିବା ଏବଂ ଯେଉଁଠାରେ ସମ୍ଭବ, ସେୟାର ପରିବହନକୁ ପ୍ରୋତ୍ସାହିତ କରାଯିବ ।
ଦୈନନ୍ଦିନ କ୍ୟାମ୍ପସ କାର୍ଯ୍ୟକଳାପରେ ଇନ୍ଧନ, ବିଦ୍ୟୁତ୍, ପାଣି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସମ୍ବଳର ଅପଚୟକୁ ସଚେତନ ଭାବରେ ହ୍ରାସ କରିବା । ସାଇକେଲ, ଇଲେକ୍ଟ୍ରିକ୍ ଗାଡ଼ି, ପାଦରେ ଚାଲି ଚାଲି ଯିବା ଏବଂ ସାର୍ବଜନୀନ ପରିବହନ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ କ୍ୟାମ୍ପସ ମଧ୍ୟରେ ଏକ ସାମୟିକ “ଗ୍ରୀନ ମୋବିଲିଟି ଡେ’ ପାଳନ କରାଯିବ ।
ସେହିପରି, ଅଧ୍ୟାପକ, ଅଧିକାରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଦୂଷଣମୁକ୍ତ ପଦ୍ଧତିକୁ ଅଧିକରୁ ଅଧିକ ଗ୍ରହଣ କରିବା ଏବଂ ପାରମ୍ପରିକ ଇଞ୍ଜିନ ଚାଳିତ ଯାନ ଉପରେ ନିର୍ଭରତା ହ୍ରାସ କରିବା ପାଇଁ ଉତ୍ସାହିତ କରାଯିବ । ଦୈନନ୍ଦିନ କ୍ୟାମ୍ପସ କାର୍ଯ୍ୟକଳାପରେ ଇନ୍ଧନ, ବିଦ୍ୟୁତ୍, ପାଣି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସମ୍ବଳର ଅପଚୟକୁ ସଚେତନ ଭାବରେ ହ୍ରାସ କରିବା ।