Latest Odisha News

BREAKING NEWS

ଆସନ୍ତାକାଲି ୩୫ ହଜାର ମେଡିସିନ୍ ଷ୍ଟୋର୍‌ରେ ତାଲା ପଡ଼ିବ

ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ନିତ୍ୟ ବ୍ୟବହାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଔଷଧ କିଣିବାର ଅଛି, ତେବେ ଆଜି ହିଁ ଆଣିକି ରଖନ୍ତୁ। କାରଣ ଆସନ୍ତାକାଲି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବାକୁ ଯାଉଛି। କ୍ରମାଗତ ଭାବେ ବଢ଼ି ଚାଲିଥିବା ଅନ୍‌ଲାଇନ୍ ଔଷଧ ବିକ୍ରୟକୁ କଡ଼ା ବିରୋଧ କରି ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍’ (ୟୁସିଡିଏ) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଆସନ୍ତାକାଲି ସକାଳୁ ରାଜ୍ୟର ୩୫ ହଜାରରୁ ଊର୍ଦ୍ଧ୍ୱ ଔଷଧ ଦୋକାନରେ ତାଲା ଝୁଲୁଥିବାର ଦେଖିବାକୁ ମିଳିବ।

ଏହି ବନ୍ଦ କେବଳ ଓଡ଼ିଶାରେ ସୀମିତ ନୁହେଁ, ବରଂ ଏହା ଏକ ସର୍ବଭାରତୀୟ ଆନ୍ଦୋଳନ। କେନ୍ଦ୍ର ସରକାରଙ୍କ ଖାମଖିଆଲି ନୀତି ପ୍ରତିବାଦରେ ସାରା ଦେଶରେ ଥିବା ପ୍ରାୟ ୧୨ ଲକ୍ଷରୁ ଅଧିକ ମେଡ଼ିସିନ ଷ୍ଟୋର ଆସନ୍ତାକାଲି ବ୍ୟବସାୟ ବନ୍ଦ ରଖିବେ।

ଏହି ବିବାଦର ମୂଳ କାରଣ ହେଉଛି କରୋନା ମହାମାରୀ ସମୟରେ ନିଆଯାଇଥିବା ଏକ ନିଷ୍ପତ୍ତି। କୋଭିଡ୍ ଭଳି ଏକ ଅଭାବନୀୟ ପରିସ୍ଥିତିକୁ ନଜରରେ ରଖି ଲୋକଙ୍କ ସୁବିଧା ପାଇଁ ଭାରତ ସରକାର ଏକ ଜରୁରୀ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତି ମାଧ୍ୟମରେ ଇ-ଫାର୍ମାସିଗୁଡ଼ିକୁ ଅନ୍‌ଲାଇନ୍‌ରେ ଔଷଧ ବିକ୍ରି ଓ ହୋମ୍ ଡେଲିଭରୀ ଦେବାକୁ ସାମୟିକ ଅନୁମତି ପ୍ରଦାନ କରାଯାଇଥିଲା। କିନ୍ତୁ ଏବେ ସେହି କରୋନା କାଳର ଭୟାବହତା ନାହିଁ କି ସେହି ଜରୁରୀକାଳୀନ ଭଳି ସ୍ଥିତି ନାହିଁ। ତଥାପି କେନ୍ଦ୍ର ସରକାର ଏଯାବତ ସେହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନାହାନ୍ତି। ନିୟମର ଏହି ଢିଲାପଣ ଯୋଗୁଁ ଅନ୍‌ଲାଇନ୍ କମ୍ପାନୀଗୁଡ଼ିକ ଏହାର ଫାଇଦା ଉଠାଉଥିବା ବେଳେ ଲକ୍ଷ ଲକ୍ଷ ସ୍ଥାନୀୟ ଖୁଚୁରା ଔଷଧ ଦୋକାନୀଙ୍କ ଜୀବିକା ଉପରେ ଏବେ ଗମ୍ଭୀର ବିପଦ ଦେଖାଦେଇଛି।

ଏହି ପ୍ରସଙ୍ଗରେ ୟୁସିଡିଏର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, “କରୋନା କାଳର ଜରୁରୀ ପରିସ୍ଥିତି ଆଉ ନାହିଁ। ତେଣୁ ସେହି ସମୟର ବିଜ୍ଞପ୍ତିକୁ ସରକାର ତୁରନ୍ତ ରଦ୍ଦ କରିବା ଉଚିତ୍। ଅନ୍‌ଲାଇନ୍‌ରେ ବେଧଡ଼କ ଔଷଧ ବିକ୍ରି ଯୋଗୁଁ ସାଧାରଣ ଦୋକାନୀମାନେ ପ୍ରବଳ କ୍ଷତି ସହୁଛନ୍ତି ଏବଂ ଏହା ନକଲି ଔଷଧ କାରବାରକୁ ମଧ୍ୟ ପ୍ରୋତ୍ସାହନ ଦେବାର ଆଶଙ୍କା ରହିଛି। ସରକାର ଏହାକୁ ପ୍ରତ୍ୟାହାର ନକରିବା ପ୍ରତିବାଦରେ ଆମେ ସାରା ଦେଶରେ ଏକଜୁଟ୍ ହୋଇ ଏହି ବନ୍ଦ ଡାକରା ଦେଇଛୁ।”

ତେବେ ଏତେ ସଂଖ୍ୟକ ଔଷଧ ଦୋକାନ ବନ୍ଦ ରହିଲେ ସାଧାରଣ ରୋଗୀ ହନ୍ତସନ୍ତ ହେବାର ପୂର୍ଣ୍ଣ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଧର୍ମଘଟ ଚାଲିଥିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ କୌଣସି ରୋଗୀଙ୍କୁ ନିରାଶ କରାଯିବ ନାହିଁ। ସମ୍ପୃକ୍ତ ଅଞ୍ଚଳର ଦୋକାନୀମାନେ ମାନବିକତା ଦୃଷ୍ଟିରୁ ଗୁରୁତର ରୋଗୀଙ୍କୁ ଔଷଧ ଯୋଗାଇଦେବେ ବୋଲି ସଂଘ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

Leave A Reply

Your email address will not be published.