ଭୁବନେଶ୍ବର: ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ ବୈଠକ ପରେ ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ।
କ୍ୟାବିନେଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି । ୪୦୦ କେଭି ଗ୍ରୀଡ କରାଯାଇ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ୨୪ ଘଣ୍ଟିଆ ବିଜୁଳି ସୁନିଶ୍ଚିତ ହେବ । ମେଡିକାଲ୍ ନେଗ୍ଲିଜେନ୍ସ କେସ୍ ଶୀଘ୍ର ସମାଧାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଶିଳ୍ପ , ଶକ୍ତି ଓ ଖାଦ୍ୟ ଯୋଗାଣ ବିଭାଗର ବିଭିନ୍ନ ପ୍ରସ୍ତାବ ମଞ୍ଜୁରୀ ହୋଇଛି । ୮୫୪ କୋଟିର ପାୱାର୍ ପ୍ରୋଜେକ୍ଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପାୱାର୍ ପ୍ଲାଣ୍ଟରେ ପରିବେଶ ନିୟମ କଡାକଡି ହେବ । IPP ଗୁଡିକ ଏନଭାଇରମେଣ୍ଟାଲ ନିୟମ ମାନିବେ । OPTCL 400 KV ଗ୍ରୀଡ ଷ୍ଟେସନ୍ ଓ ଟ୍ରାନ୍ସମିସନ୍ ଲାଇନ୍ କରିବ । ସେହିପରି- ଥର୍ମାଲ୍ ପଲିସି ସଂଶୋଧନ କରାଯାଇଛି । ପେଟ୍ରୋଲ୍ ପମ୍ପ୍ ଲାଇସେନ୍ସ ସହଜ କରାଯାଇଛି। ରିଟେଲ୍ ସେଲ୍ ଲାଇସେନ୍ସ ଆଉ ଦରକାର ନାହିଁ, କଲେକ୍ଟର NOC ଯଥେଷ୍ଟ ।
ସେହିପରି, ଓଡ଼ିଶା ଜିଲ୍ଲା ଓ ସିଭିଲ୍ କୋର୍ଟର ଅଣ-ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୦୮ର ସଂଶୋଧନ ମାଧ୍ୟମରେ ଗ୍ରୁପ୍-ଡି କର୍ମଚାରୀମାନଙ୍କୁ ଜୁନିୟର କ୍ଲର୍କ ପଦବିକୁ ପଦୋନ୍ନତି ପାଇବାର ସୁଯୋଗ ଦିଆଯାଇଛି । କୋର୍ଟରେ ମହିଳା ଗ୍ରୁପ୍-ଡି କର୍ମଚାରୀ ଜୁନିଅର୍ କ୍ଲର୍କ୍ ହୋଇପାରିବେ । ନିୟମିତ ହେବ କୋର୍ଟ ମ୍ୟାନେଜର ପଦବୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ନିଯୁକ୍ତି ମିଳିବ ।
ନୂଆ ‘ଓଡ଼ିଶା ମେରିନ୍ ଫିସିଂ ରେଗୁଲେସନ୍ ଆକ୍ଟ ୨୦୨୬ ଆସିବ । ଏହି ନୂତନ ଆଇନରେ ଉପକୂଳବର୍ତ୍ତୀ ସମ୍ପ୍ରଦାୟର ସୁରକ୍ଷା, ତଟୀୟ ଓ ଜାତୀୟ ନିରାପତ୍ତାକୁ ଉଚ୍ଚ ପ୍ରାଥମିକତା ଦିଆଯିବ । ଯେଉଁଥିରେ ବେଆଇନ୍ ମାଛଧରା ବନ୍ଦ ହେବ । ଏହି ନୂତନ ଆଇନ ବଳରେ ୨୦୩୬ ସୁଦ୍ଧା ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ରକୁ ସମ୍ପ୍ରସାରିତ କରି ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରତ୍ପାନି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି ।
‘ଓଡ଼ିଶା ପ୍ରତ୍ନତାତ୍ତ୍ବିକ କ୍ୟୁରେଟର ସେବା ନିୟମାବଳୀ, ୨୦୨୬’କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ରାଜ୍ୟର ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜିର ସୁପରିଚାଳନା, ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ସ୍ଥାପନ, ପ୍ରତ୍ନତାତ୍ତ୍ବିକ କ୍ୟୁରେଟର ସେବା କ୍ୟାଡର୍ର ପୁନର୍ଗଠନ ଏବଂ କ୍ୟାଡର୍ ନିୟମାବଳୀ ପ୍ରଣୟନ ନିମନ୍ତେ ୨୦୨୩ ଅକ୍ଟୋବର ମାସରେ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା । ସ୍ବତନ୍ତ୍ର ରାଜ୍ୟ ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜି ସହଜରେ ସଂରକ୍ଷିତ ହୋଇପାରିବ ।
କ୍ୟାବିନେଟ୍ରେ ST-SC ବିଭାଗରୁ ବଡ଼ ଘୋଷଣା । ନୂଆ ନିୟମରେ ମୋଟ୍ ୧୦୩୨ଟି ପୋଷ୍ଟ୍ । ଜୁନିଅର୍ ଆସିଷ୍ଟାଣ୍ଟ ୬୩୦, ସିନିଅର୍ ଆସିଷ୍ଟାଣ୍ଟ ୨୪୯, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ୧୦୦ ଓ ସେକ୍ସନ୍ ଅଫିସର୍ ୫୩ଟି ପଦବୀ ।