ଭୁବନେଶ୍ବର: ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୫ ଦିନ ତାତିରୁ ନିସ୍ତାର ନାହିଁ । ଆସନ୍ତା ୨୬ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ଏମିତିକି ତାପମାତ୍ରା ଆହୁରି ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ଆକଳନ କରାଯାଉଛି ।
ଅନ୍ୟପଟେ, ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଲା ଝାରସୁଗୁଡ଼ା ଓ ସମ୍ବଲପୁର । ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ । ସମ୍ବଲପୁରରେ ୪୧.୨ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି, ହିରାକୁଦରେ ୪୦.୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ, କେନ୍ଦୁଝରରେ ୩୯.୪ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ରହିଛି ୩୮. ୪ ଡିଗ୍ରୀ ରେକର୍ଡ ହୋଇଛି ।
ସପଟେ, ସୋଆ ସିଇସି ନିର୍ଦ୍ଦେଶକ ଡା. ଶରତ ସାହୁ କହିଛନ୍ତି, ପଶ୍ଚିମ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ବୋହୁଛି । ଯେଉଁ କାରଣରୁ ସମୁଦ୍ର ପବନ ଆସୁଛି ସତ, ହେଲେ ଏତେ ଦୁର୍ବଳ ଯେ କାଳବୈଶାଖୀ କରିପାରୁନି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସହିତ ଉପକୂଳ ଅଞ୍ଚଳରେ ବି ପ୍ରଚଣ୍ଡ ଗରମ ଗୁଳୁଗୁଳି ଅନୁଭୂତ ହେବ ବୋଲି ସେ କହିଛନ୍ତି ।