ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସିଷ୍ଟମରେ ନଗଦ ଅର୍ଥର ପ୍ରବାହକୁ ସ୍ୱାଭାବିକ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଦିନ ଆରବିଆଇ ଏକ ୩ ଦିନିଆ ଭେରିଏବଲ୍ ରେଟ୍ ରେପୋ ନିଲାମ ଜରିଆରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ୮୧ ହଜାର ୫୯୦ କୋଟି ଟଙ୍କା ନିବେଶ କରିଛି। ବ୍ୟାଙ୍କଗୁଡ଼ିକରେ ଉପୁଜିଥିବା ସାମୟିକ ନଗଦ ସମସ୍ୟା ବା ଲିକ୍ୱିଡିଟି ଅଭାବକୁ ଦୂର କରିବା ଲକ୍ଷ୍ୟରେ ଆରବିଆଇ ଏହି ଟଙ୍କା ଯୋଗାଇ ଦେଇଛି।
ସୂଚନା ଅନୁଯାୟୀ, ଆଡଭାନ୍ସ ଟ୍ୟାକ୍ସ ପଇଠ ଏବଂ ଅନ୍ୟାନ୍ୟ କାରଣରୁ ବ୍ୟାଙ୍କଗୁଡ଼ିକରେ ନଗଦ ଅର୍ଥର ସାମୟିକ ସଙ୍କଟ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପକ୍ଷରୁ ୧ ଲକ୍ଷ କୋଟି ଟଙ୍କାର ନିଲାମ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏହି ନିଲାମ ପ୍ରକ୍ରିୟାରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ମୋଟ ୧ ଲକ୍ଷ ୧୪ ହଜାର ୪୮୦ କୋଟି ଟଙ୍କାର ବିଡ୍ ଆସିଥିଲା। ସେଥିମଧ୍ୟରୁ କେନ୍ଦ୍ରୀୟ ବ୍ୟାଙ୍କ ୮୧ ହଜାର ୫୯୦ କୋଟି ଟଙ୍କାର ବିଡକୁ ଗ୍ରହଣ କରି ନଗଦ ଅର୍ଥ ପ୍ରଦାନ କରିଛି।
ଭେରିଏବଲ୍ ରେଟ୍ ରେପୋ ହେଉଛି ଆରବିଆଇର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଉପକରଣ। ଯେତେବେଳେ ବଜାରରେ କିମ୍ବା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସାମୟିକ ଭାବେ ନଗଦ ଟଙ୍କାର ଅଭାବ ଦେଖାଯାଏ, ସେତେବେଳେ ଆରବିଆଇ ଏହି ନିଲାମ ଜରିଆରେ ସ୍ୱଳ୍ପ ସମୟ ପାଇଁ ଲିକ୍ୟୁଡିଟି ଯୋଗାଇଥାଏ। ଏହି ପ୍ରକ୍ରିୟାରେ ବ୍ୟାଙ୍କଗୁଡ଼ିକ ନିଜର ସରକାରୀ ସିକ୍ୟୁରିଟିଜ୍ ବନ୍ଧକ ରଖି ଆରବିଆଇଠାରୁ ଆବଶ୍ୟକୀୟ ସ୍ୱଳ୍ପ ମିଆଦି ଋଣ ନେଇଥାନ୍ତି।
ବଜାର ବିଶେଷଜ୍ଞଙ୍କ ମତରେ, ଆରବିଆଇର ଏହି ତୁରନ୍ତ ପଦକ୍ଷେପ ଫଳରେ ବ୍ୟାଙ୍କଗୁଡ଼ିକର ଫଣ୍ଡିଂ ଚାପ ବହୁ ମାତ୍ରାରେ କମିଯିବ। ଏହା ସହିତ ଆନ୍ତଃ-ବ୍ୟାଙ୍କ ଲେଣଦେଣରେ ସ୍ୱଳ୍ପ ମିଆଦି ସୁଧ ହାର ମଧ୍ୟ ସ୍ଥିର ରହିବ।