ଭୁବନେଶ୍ୱର: ରାଜ୍ୟରେ ଏବେ ତେଲ ତାତି। ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଗଲାଣି। ଆଉ ଏହି ପ୍ରସଙ୍ଗକୁ ନେଇ ଏବେ ଓଡ଼ିଶା ରାଜନୀତି ସମ୍ପୂର୍ଣ୍ଣ ସରଗରମ। ବିଗତ ୧୦ ଦିନ ମଧ୍ୟରେ ତେଲ ଦର ୫ ଟଙ୍କା ପାଖାପାଖି ବୃଦ୍ଧି ପାଇଛି । ଆଉ ଏବେ ଆକାଶଛୁଆଁ ତେଲ ଦରକୁ ଅସ୍ତ୍ର କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ତୁରନ୍ତ ପେଟ୍ରୋଲ ଏବଂ ଡିଜେଲ ଉପରୁ ମୂଲ୍ୟଯୁକ୍ତ ଟିକସ ବା ଭାଟ୍ କମାଇବାକୁ ବିଜେଡି ଓ କଂଗ୍ରେସ ଜୋରଦାର ଦାବି କରିଛନ୍ତି।
କେନ୍ଦ୍ର ସରକାର ନିକଟରେ ଏକ୍ସାଇଜ୍ ଡ୍ୟୁଟି କମାଇଥିବା ବେଳେ ରାଜ୍ୟ ସରକାର କାହିଁକି ନୀରବ ବସିଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳର ନେତାମାନେ। ବିଜେଡି ନେତାଙ୍କ ଯୁକ୍ତି ହେଉଛି, ବର୍ତ୍ତମାନ ଓଡ଼ିଶାରେ ତେଲ ଉପରେ ଦେଶର ଅନ୍ୟତମ ସର୍ବାଧିକ ଭାଟ୍ (ପ୍ରାୟ ୨୮%) ଆଦାୟ କରାଯାଉଛି। ଅନ୍ୟ ରାଜ୍ୟଗୁଡ଼ିକ ଟିକସ କମାଇ ନିଜ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଉଥିବା ବେଳେ ଓଡ଼ିଶା ସରକାର ପଛଘୁଞ୍ଚା ଦେଉଛନ୍ତି କାହିଁକି? ବିଜେଡି କଟାକ୍ଷ କରି କହିଛି ଯେ, ବିଜେପି ଯେତେବେଳେ ବିରୋଧୀ ଆସନରେ ଥିଲା, ସେତେବେଳେ ଭାଟ୍ କମାଇବା ପାଇଁ ରାସ୍ତାକୁ ଓହ୍ଲାଉଥିଲା। ଏବେ ନିଜେ କ୍ଷମତାରେ ଥିବାରୁ ପ୍ରତିଶ୍ରୁତି ରକ୍ଷା କରିବା ଦରକାର।
ଦଳ ପକ୍ଷରୁ କୁହାଯାଇଛି ଯେ, “ତେଲ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ତେଣୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଭାଟ୍ ହ୍ରାସ କରିବା ଉଚିତ୍ ଏବଂ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ରକୁ ଚିଠି ଲେଖିବା ଦରକାର।”
ଅନ୍ୟପକ୍ଷରେ, ଶାସକ ଦଳ ବିଜେପି ଏହି ସବୁ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛି। ଦଳୀୟ ନେତା ଓ ବିଧାୟକମାନେ କହିଛନ୍ତି ଯେ ତେଲ ଦର ହ୍ରାସ ବୃଦ୍ଧି ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭରଶୀଳ। ବିରୋଧୀଙ୍କ ପାଖରେ ଏବେ ସରକାରଙ୍କୁ ଘେରିବା ପାଇଁ କୌଣସି ଠୋସ୍ ପ୍ରସଙ୍ଗ ନାହିଁ। ତେଣୁ ସେମାନେ କେବଳ ପଲିଟିକାଲ ମାଇଲେଜ୍ ନେବା ପାଇଁ ଏଭଳି ବୟାନବାଜି କରୁଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ରାଜନୈତିକ ବାକ୍ଯୁଦ୍ଧ ଭିତରେ ସାଧାରଣ ଲୋକଙ୍କୁ କେମିତି ଆଶ୍ୱସ୍ତି ମିଳିବ?