କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏବେ ‘ବୁଲଡୋଜର ଆକ୍ସନ୍’କୁ ନେଇ ଜୋରଦାର ଚର୍ଚ୍ଚା। ଯେଉଁ ବୁଲଡୋଜରକୁ କେବଳ ଉତ୍ତରପ୍ରଦେଶ କିମ୍ବା ମଧ୍ୟପ୍ରଦେଶ ରାଜନୀତିରେ ବେଶି ଦେଖିବାକୁ ମିଳୁଥିଲା, ଏବେ ତାହା କୋଲକାତାର ରାସ୍ତାରେ ଗର୍ଜୁଛି। ସହରର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ବେଆଇନ କୋଠା ଏବଂ ନିର୍ମାଣ ଗୁଡ଼ିକ ଉପରେ କୋଲକାତା ମହାନଗର ନିଗମ (KMC) ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୋଟିଏ ପରେ ଗୋଟିଏ ବେଆଇନ ବିଲ୍ଡିଂକୁ ମାଟିରେ ମିଶାଇ ଦେଇଛି ପ୍ରଶାସନର ହଳଦିଆ ବୁଲଡୋଜର।
ପ୍ରଶାସନର ଏହି ଆକ୍ରମଣାତ୍ମକ ରୂପ ଦେଖି ଏବେ ଜମି ମାଫିଆ ଏବଂ ବେଆଇନ କୋଠା ନିର୍ମାଣ କରୁଥିବା ସଂସ୍ଥାଙ୍କ ମଧ୍ୟରେ ଛନକା ପଶିଛି। ସରକାରୀ ନିୟମକୁ ବେଖାତିର କରି, କୌଣସି ଅନୁମୋଦନ ନଥାଇ ବା ନକ୍ସା ପାସ୍ ନକରାଇ ତିଆରି ହୋଇଥିବା ବହୁତଳ ଅଟ୍ଟାଳିକାଗୁଡ଼ିକୁ ଚିହ୍ନଟ କରାଯାଇ ପ୍ରଥମେ ନୋଟିସ୍ ଦିଆଯାଇଥିଲା। ହେଲେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କୋଠା ମାଲିକମାନେ କୌଣସି ପଦକ୍ଷେପ ନନେବାରୁ, ଶେଷରେ କେଏମସି ପକ୍ଷରୁ ଏହି କଠୋ ଗୁଡିକୁ ଭଙ୍ଗାଯାଉଛି। ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ଆଜି ସକାଳୁ ସକାଳୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, ରାଜ୍ୟ ସରକାର ଏବଂ କୋଲକାତା ମେୟର ଏହି ପ୍ରସଙ୍ଗରେ ଏବେ ‘ଜିରୋ ଟଲରାନ୍ସ’ ନୀତି ଆପଣେଇଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ବିଭିନ୍ନ ଅଞ୍ଚଳରୁ ବେଆଇନ ନିର୍ମାଣ ଏବଂ ଜଳାଶୟ ପୋତି ଘର ତିଆରି ନେଇ ଲଗାତାର ଅଭିଯୋଗ ଆସିବା ପରେ ପ୍ରଶାସନର ନିଦ ଭାଙ୍ଗିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ କଡ଼ା ନିର୍ଦ୍ଦେଶ ଆସିଥିବା ସୂଚନା ମିଳିଛି। ତେଣୁ ପ୍ରଶାସନ ଏବେ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ନିୟମ ଭାଙ୍ଗିଲେ କାହାକୁ ବି ଛଡ଼ାଯିବ ନାହିଁ, ସେ ଯେତେ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାନ୍ତୁ ନା କାହିଁକି।
ସହରର ପରିବେଶକୁ ବଞ୍ଚାଇବା ଏବଂ ବେଆଇନ ଜବରଦଖଲ ମୁକ୍ତ କରିବା ପାଇଁ ଆଗକୁ ମଧ୍ୟ ଏହି ‘ବୁଲଡୋଜର ଅଭିଯାନ’ ଜାରି ରହିବ ବୋଲି ନିଗମ ଅଧିକାରୀମାନେ ଚେତାବନୀ ଦେଇଛନ୍ତି।