Latest Odisha News

BREAKING NEWS

ବିମାନବନ୍ଦରରୁ ୪୮ କୋଟି ମୂଲ୍ୟର ଗଞ୍ଜେଇ ଜବତ; ଏହା ମାଟିରେ ନୁହେଁ, ସ୍ୱତନ୍ତ୍ର ପାଣିରେ ଚାଷ ହୁଏ…

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର କଷ୍ଟମ୍ସ ଅଧିକାରୀମାନେ ୪୮ କୋଟି ମୂଲ୍ୟର ଗଞ୍ଜେଇ ଜବତ କରିଛନ୍ତି । ଅଧିକାରୀମାନେ ବ୍ୟାଙ୍କକରୁ ଆସିଥିବା ୨ ଥାଇ ନାଗରିକଙ୍କଠାରୁ ସନ୍ଦିଗ୍ଧ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛନ୍ତି । ଦିଲ୍ଲୀ ବିମାନବନ୍ଦର କଷ୍ଟମ୍ସ କମିଶନର ଅରବିନ୍ଦ ସରନ କହିଛନ୍ତି ଯେ, ଏହା ବର୍ତ୍ତମାନ ସମୟରେ ଦେଶରେ ଜବତ ହୋଇଥିବା ନିଶା ଦ୍ରବ୍ୟ ମଧ୍ୟରୁ ସବୁଠୁ ଅଧିକ ।

ସରନ କହିଛନ୍ତି, “ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର କଷ୍ଟମ୍ସ ଅଧିକାରୀମାନେ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ନିଷିଦ୍ଧ ଜିନିଷ ଚୋରା ଚାଲାଣର ପ୍ରୟାସକୁ ରୋକିବା ପାଇଁ ୨୪ ଘଣ୍ଟା କଡ଼ା ନଜର ରଖୁଛନ୍ତି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁନା ଚୋରା ଚାଲାଣକୁ ରୋକିବା ପାଇଁ ମଧ୍ୟ ସମାନ ପ୍ରୟାସ କରାଯାଉଛି ।

ଏହି ଗଞ୍ଜେଇ ଏକ ବିଶେଷ ପ୍ରକାରର ପାଣିରେ ଫଳେ

ଦିଲ୍ଲୀ ବିମାନବନ୍ଦରରେ ଜବତ ହାଇଡ୍ରୋପୋନିକ୍ ଗଞ୍ଜେଇ ହେଉଛି ଗଞ୍ଜେଇର ଏକ ଉଚ୍ଚ କ୍ଷମତା ବିଶିଷ୍ଟ ରୂପ । ଏହାକୁ ମାଟି ବଦଳରେ ପୁଷ୍ଟିକର ସାରଯୁକ୍ତ ପାଣିରେ ଚାଷ କରାଯାଏ । ଆଳୁ ଏବଂ ଅନ୍ୟାନ୍ୟ ଫସଲ ମଧ୍ୟ ସମାନ ପାଣିରେ ଚାଷ କରାଯାଏ, କିନ୍ତୁ ଏବେ ନିଶା ବ୍ୟବସାୟୀମାନେ ମଧ୍ୟ କୃଷି ବୈଜ୍ଞାନିକଙ୍କ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ଆରମ୍ଭ କରିଛନ୍ତି ।

ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଗିରଫ ହୋଇଥିବା ଥାଇ ନାଗରିକମାନେ ମେ ୨୨ ତାରିଖରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲେ । ବିମାନବନ୍ଦରରେ ଗ୍ରୀନ୍ ଚ୍ୟାନେଲ ପାର ହେବା ପରେ ଉଭୟ ଯାତ୍ରୀଙ୍କୁ ଅଟକାଯାଇଥିଲା । ନିର୍ଦ୍ଦିଷ୍ଟ ସୂଚନା ଏବଂ ସନ୍ଦେହଜନକ ଯାତ୍ରା ସୂଚକ ଉପରେ କାର୍ଯ୍ୟ କରି କଷ୍ଟମ୍ସ ଅଧିକାରୀମାନେ ଉଭୟ ଯାତ୍ରୀଙ୍କ ଲଗେଜକୁ ଭଲଭାବେ ଯାଞ୍ଚ କରିଥିଲେ ।

ଅଧିକାରୀମାନେ କହିଛନ୍ତି ଯେ,ଲଗେଜ ଯାଞ୍ଚ ସମୟରେ, ହାଇଡ୍ରୋପୋନିକ୍ ଗଞ୍ଜେଇ ଥିବା ସନ୍ଦେହ କରାଯାଉଥିବା ୬ଟି ଭାକ୍ୟୁମ୍-ସିଲ୍ ପ୍ୟାକେଟ ଜବତ କରାଯାଇଥିଲା । ଜଣେ ଯାତ୍ରୀଙ୍କ ଲଗେଜରୁ ପ୍ରାୟ ୨୯ କିଲୋଗ୍ରାମ ଓଜନର ୪ଟି ପ୍ୟାକେଟ ଜବତ କରାଯାଇଥିଲା, ଯେତେବେଳେ ଅନ୍ୟ ଯାତ୍ରୀଙ୍କ ଲଗେଜରୁ ପ୍ରାୟ ୧୯ କିଲୋଗ୍ରାମ ଓଜନର ଦୁଇଟି ପ୍ୟାକେଟ ଜବତ କରାଯାଇଥିଲା । ଯାତ୍ରୀମାନଙ୍କ ସହିତ ମିଳିଥିବା ଗଞ୍ଜେଇର ମୋଟ ଓଜନ ୪୭.୮୦୫ କିଲୋଗ୍ରାମ ଥିଲା ।

Leave A Reply

Your email address will not be published.