Latest Odisha News

BREAKING NEWS

ତେଲ ଦର ବୃଦ୍ଧିର ସିଧା ପ୍ରଭାବ: ରାଜଧାନୀ ବଜାରରେ ମହଙ୍ଗା ଝଟକା, ପରିବାଠୁ ଡାଲି ଯାଏଁ ସବୁ ଉପରମୁହାଁ

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ ସିଧାସଳଖ ଭାବେ ସାଧାରଣ ଖାଉଟିଙ୍କ ରୋଷେଇ ଘରେ ପହଞ୍ଚିଛି। ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଏବେ ଖାଦ୍ୟ ସାମଗ୍ରୀ ଓ କଞ୍ଚା ପରିବା ଦର ମଧ୍ୟ ଉପରମୁହାଁ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଖାଉଟିଙ୍କ ଉପରେ ମହଙ୍ଗାଇର ଚାପ ଆଉ ଅଧିକ ବଢ଼ିଛି।

ମାର୍ଚ୍ଚ ମାସରେ ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଦେଶରେ ଏଲ୍‌ପିଜି ଦର ବଢ଼ିଥିଲା। କମର୍ସିଆଲ ଏଲ୍‌ପିଜି ଅଭାବର ପ୍ରଭାବ ହୋଟେଲ ଓ ରେସ୍ତୋରାଁ ବ୍ୟବସାୟ ଉପରେ ପଡ଼ିଥିଲା। ଫଳରେ ବାହାରେ ଖାଇବା ମଧ୍ୟ ମହଙ୍ଗା ହୋଇଛି।

ଏହାପରେ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ସରିବା ପରେ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରକୁ ୧୧ ଦିନ ମଧ୍ୟରେ ୪ ଥର ବଢ଼ାଇଛନ୍ତି। ଏଥିରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପ୍ରାୟ ୭ ଟଙ୍କା ମହଙ୍ଗା ହୋଇଯାଇଛି। ତେଲ ଦର ବୃଦ୍ଧି ପରେ ପରିବହନ ଖର୍ଚ୍ଚ ବଢ଼ିଛି ଓ ତାହାର ପ୍ରଭାବ ବଜାର ଦରରେ ଦେଖିବାକୁ ମିଳୁଛି।

ଭୁବନେଶ୍ୱରର ପାଇକାରୀ ବଜାରରେ ପ୍ରାୟ ସବୁ କଞ୍ଚା ପରିବା ଦର କିଲୋଗ୍ରାମ ପିଛା ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଖୁଚୁରା ବଜାରରେ ବାଇଗଣ କିଲୋଗ୍ରାମ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। କଲରା ୬୦ରୁ ୮୦ ଟଙ୍କା, କାଙ୍କଡ଼ ୬୦ରୁ ୮୦ ଟଙ୍କା, ଗାଜର ୪୦ରୁ ୬୦ ଟଙ୍କା, ସଜନା ଛୁଇଁ ୮୦ରୁ ୧୦୦ ଟଙ୍କା ଓ ଟମାଟୋ ୫୦ରୁ ୬୦ ଟଙ୍କା ରହିଛି।

ସେହିପରି ଭେଣ୍ଡି ଓ ପୋଟଳ ୪୦ରୁ ୬୦ ଟଙ୍କା, କଖାରୁ ୩୦ ଟଙ୍କା, ଅମୃତଭଣ୍ଡା ୩୦ ଟଙ୍କା ଓ ବନ୍ଧା କୋବି ୩୦ ଟଙ୍କାରେ ବିକ୍ରି ହେଉଛି। ଅଦା ଓ ରସୁଣ ଦର ମଧ୍ୟ କିଲୋଗ୍ରାମ ପିଛା ୧୨୦ ଟଙ୍କାକୁ ପହଞ୍ଚିଛି।

କେବଳ ପରିବା ନୁହେଁ, ଡାଲି ଓ ଖାଇବା ତେଲ ଦର ମଧ୍ୟ ଖାଉଟିଙ୍କୁ ଅଡ଼ୁଆରେ ପକାଇଛି। ସପ୍ତାହକ ପୂର୍ବରୁ ହରଡ଼ ଡାଲି କିଲୋଗ୍ରାମ ପିଛା ୧୨୦ ଟଙ୍କା ଥିଲା। ଏବେ ତାହା ୧୩୦ ଟଙ୍କାରେ ବିକ୍ରି ହେଉଛି। ସୋରିଷ ତେଲ ଓ ରିଫାଇନ୍ ତେଲ ଦର ଲିଟର ପିଛା ୧୦ ଟଙ୍କା ବଢ଼ି ଯଥାକ୍ରମେ ୧୯୦ ଟଙ୍କା ଓ ୧୮୦ ଟଙ୍କାରେ ପହଞ୍ଚିଛି।

ଓଡ଼ିଶାକୁ ଅଧିକାଂଶ ଖାଦ୍ୟ ସାମଗ୍ରୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଓ ତାମିଲନାଡୁ ଭଳି ରାଜ୍ୟରୁ ଆସିଥାଏ। ପାଇକାରୀ ବଜାରରୁ ଖୁଚୁରା ବଜାରକୁ ସାମଗ୍ରୀ ପହଞ୍ଚିବା ବେଳକୁ ମଧ୍ୟରେ ଅନେକ ସ୍ତର ଯୋଡ଼ାଯାଉଛି। ଫଳରେ ଖାଉଟିଙ୍କ ହାତକୁ ସାମଗ୍ରୀ ପହଞ୍ଚିଲା ବେଳକୁ ଦର ବହୁଗୁଣା ବଢ଼ିଯାଉଛି।

ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାଜନ ସଂଘ ସଭାପତି କବିରାଜ ସ୍ୱାଇଁଙ୍କ କହିବା ଅନୁସାରେ, ପରିବହନ ଖର୍ଚ୍ଚ ପ୍ରାୟ ୧୦ ପ୍ରତିଶତ ବଢ଼ିଛି। ସେଥିପାଇଁ ପରିବା ଦର ଉପରକୁ ଯାଇଛି। ଆଗକୁ ସ୍ଥାନୀୟ ପରିବା ଯୋଗାଣ କମିବାର ସମ୍ଭାବନା ଥିବାରୁ ଦର ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ବଜାରରେ ୨ରୁ ୫ ପ୍ରତିଶତ ଦର ବଢ଼ିବା କିମ୍ବା କମିବା ସ୍ୱାଭାବିକ। କିନ୍ତୁ ବର୍ତ୍ତମାନ ଦର ଅସ୍ୱାଭାବିକ ଭାବେ ବଢ଼ୁଛି। ଏମ୍‌ଆର୍‌ପି ଯିଏ ଯାହା ପାରୁଛି ଲେଖୁଛି। ଉତ୍ପାଦନ ଖର୍ଚ୍ଚ କେତେ ଓ ବିକ୍ରି ମୂଲ୍ୟ କେତେ ରହିବା ଉଚିତ, ସେନେଇ ନିୟମିତ ନଜରଦାରି ନଥିବାରୁ ଖାଉଟି ଅସୁବିଧାରେ ପଡ଼ୁଛନ୍ତି ବୋଲି ସେ କହିଛନ୍ତି।

ସୁଧାକର ପଣ୍ଡାଙ୍କ ଅଭିଯୋଗ ଅନୁସାରେ, ଖାଇବା ତେଲ ଓ ଡାଲି ଭଳି ଆମଦାନି ହେଉଥିବା ସାମଗ୍ରୀର ମୂଲ୍ୟ କେତେ ରହୁଛି ଓ ବଜାରରେ ଖାଉଟିଙ୍କୁ କେତେ ଦରରେ ବିକ୍ରି କରାଯାଉଛି, ସେଥିରେ ସରକାର ନଜର ରଖିବା ଆବଶ୍ୟକ। ଦରଦାମ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରିବାକୁ ବ୍ୟବସାୟୀ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରତି ୨ ମାସରେ କମିଟି ବୈଠକ କରିବାକୁ ମଧ୍ୟ ପ୍ରସ୍ତାବ ଥିଲା। କିନ୍ତୁ ୩ ମାସ ହେଲା ସରକାର ଏହାକୁ ବିଚାରକୁ ନେଇନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।

କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ର ମଧ୍ୟ ଖୁଚୁରା ବଜାର ଉପରେ ନିୟନ୍ତ୍ରଣ ନଥିବା କଥା ଉଠାଇଛନ୍ତି। ତାଙ୍କ କହିବା ଅନୁସାରେ, ଖୁଚୁରା ବଜାରରେ ନିୟମିତ ଯାଞ୍ଚ ଓ ନିୟନ୍ତ୍ରଣ ନଥିବାରୁ ଦର ବଢୁଛି।

Leave A Reply

Your email address will not be published.