ଭୁବନେଶ୍ବର: ବ୍ରହ୍ମପୁର ଅମ୍ବିକା ନଗରରେ ଜଗା ସାହୁ ନାମକ ଯୁବକଙ୍କୁ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଭୟର ବାତାବରଣ ଦେଖାଦେଇଥିଲା । ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅପରାଧୀ ମାନଙ୍କ କାଉଣ୍ଟର ଆକ୍ରମଣର ପୋଲିସ ଜବାବ ଦେବାକୁ ଯାଇ ରବିବାର ବିଳମ୍ବିତ ରାତିରେ ଜଗା ଓରଫ ଜଗନ୍ନାଥ ସାହୁଙ୍କୁ ଗୁଳି କରିଛି ।
ଏହି ଘଟଣାରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଯେ, ବ୍ରହ୍ମପୁର ବଡ଼ବଜାର ସ୍ଥିତ ଅମ୍ବିକା ନଗରରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜଣେ ଯୁବକଙ୍କୁ କଟୁରୀରେ ନିର୍ମମ ଭାବେ ଆକ୍ରମଣର ଦୃଶ୍ୟ ଅତ୍ୟନ୍ତ ବିଚଳିତ କରିବା ପରି ।
ଏଇ କିଛି ଦିନ ତଳେ ବ୍ରହ୍ମପୁରରେ ଜଣେ ଯୁବକ ଓ ଯୁବତୀଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ମନରୁ ନ ଲିଭୁଣୁ ପୁଣି ଏପରି ନାରକୀୟ କାଣ୍ଡ ଓଡ଼ିଶାବାସୀଙ୍କୁ ଆତଙ୍କିତ କରିଛି ।
ସାରା ଓଡ଼ିଶାରେ ଗୁଣ୍ଡାରାଜ୍, ଚାରିଆଡ଼େ ଭୟର ବାତାବରଣ । ପୋଲିସ ଏନକାଉଣ୍ଟରର ଧମକ ଦେବା ପରେ ବି ଅପରାଧୀ ଭୟଶୂନ୍ୟ ହୋଇ ରାଜରାସ୍ତାରେ ଅପରାଧ ଘଟାଇବା ଶାସନ ବ୍ୟବସ୍ଥାର ଅପାରଗତାକୁ ଦର୍ଶାଉଛି ।
ସ୍ଥିତି ହାତରୁ ଖସିଯିବା ଆଗରୁ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ତଥା ଆଇନର ଶାସନ ବଜାୟ ରଖିବା ପାଇଁ ବଡ଼ ବଡ଼ ଭାଷଣ ଛାଡ଼ି ସରକାର ସଜାଗ ହୁଅନ୍ତୁ ।