ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିବା ବେଳେ ରିଷଭ ପନ୍ତ ଅଧିନାୟକ ପଦରୁ ଓହରି ଯାଇଛନ୍ତି । ଚଳିତ ଆଇପିଏଲରେ ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିପାରି ନ ଥିଲା । ୩୨ ବର୍ଷୀୟ ଏହି ଅଲରାଉଣ୍ଡର ସିଜନ ଅଧାରେ ଟିମ ଛାଡିବା କଥା ମ୍ୟାନେଜମେଂଟକୁ ଜଣାଇଥିଲେ । ସିନିୟର ଖେଳାଳିଙ୍କ ସହ ମତଭେଦ ଯୋଗୁ ଚାପରେ ରହୁଥିବା ମଧ୍ୟ କହିଥିଲେ । ମ୍ୟାନେଜମେଂଟ ତାଙ୍କ କଥା ଗ୍ରହଣ କରିଥିବା ଜଣାପଡିଛି । ଖୁବ ଶୀଘ୍ର ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।
୨୦୨୧ରେ ହାର୍ଦ୍ଦିକ ମୁମ୍ବାଇ ଛାଡି ଗୁଜରାଟ ଟାଇଟାନ୍ସ ଟିମ ସହିତ ଯୋଗ ଦେଇଥିଲେ । ଗୁଜରାଟ ଚାମ୍ପିୟନ ହେବା ପରେ ତାଙ୍କ ଚାହିଦା ବୃଦ୍ଧି ପାଇଥିଲା । ୨୦୨୪ରେ ସେ ମୁମ୍ବାଇ ପ୍ରତ୍ୟାବର୍ତନ କରିଥିଲେ । ତେବେ ରୋହିତ ଶର୍ମାଙ୍କ ବଦଳରେ ତାଙ୍କୁ ଅଧିନାୟକ କରାଯିବାକୁ ପ୍ରଶଂସକ ଓ ସାଥୀ ଖେଳାଳିମାନେ ଗ୍ରହଣ କରିପାରି ନ ଥିଲେ । ମୁମ୍ବାଇର ପ୍ରଦର୍ଶନସ୍ତର ମଧ୍ୟ ଖସିଥିଲା । ଅପରପକ୍ଷରେ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି । ପନ୍ତ ସ୍ୱତଃ ଅଧିନାୟକ ପଦରୁ ହଟିଥିବା କୁହାଯାଇଛି । ମେଗା ନିଲାମରେ ପନ୍ତଙ୍କୁ ୨୭ କୋଟିରେ ଲକ୍ଷ୍ନୌ କିଣିଥିଲା । ପନ୍ତଙ୍କ ଅନୁରୋଧକୁ ଆମେ ସମ୍ମାନ ଦେଇ ଏହାକୁ ସ୍ୱୀକାର କରୁଛୁ ବୋଲି ଲକ୍ଷ୍ନୌ ଡାଇରେକ୍ଟର ଅଫ କ୍ରିକେଟ ଟମ ମୁଡୀ କହିଛନ୍ତି ।