ନୂଆଦିଲ୍ଲୀ: ରୋକିପାରିଲେନି କୋହ
ଭୋ ଭୋ ହୋଇ କାନ୍ଦି ଉଠିଲେ
ନିଜ ବ୍ୟାଟିଂରେ ବୋଲରଙ୍କୁ କନ୍ଦାଉଥିବା ବୈଭବଙ୍କ କାହିଁକି ଭିଜିଗଲା ଆଖି?
ଛୋଟା ପ୍ୟାକେଟ ବଡ ଧମାକା ୧୫ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ମଇଦାନରେ ନିଜ ବ୍ୟାଟିଂରେ ବୋଲରଙ୍କୁ ନାକେଦମ କରୁଥିବା ବୈଭବଙ୍କ ଆଖି ଆଜି ଲୁହରେ ଭରିଯାଇଛି । ଆଇପିଏଲ ୨୦୨୬ର କ୍ୱାଲିଫାୟର ୨ ରେ ରାଜସ୍ଥାନ ରୟାଲ୍ସର ପରାଜୟ ପରେ ବୈଭବ ସୂର୍ଯ୍ୟବଂଶୀ ସିଧା ମନଶୁଖାଇ କୋଣକୁ ଯାଇ ପ୍ରବଳ କାନ୍ଦୁଥିବାର ଦେଖିବାକୁ ମିଳିଛି । ପରାଜୟ ପରେ କୁନି କ୍ରିକେଟର ବୈଭବ ତାଙ୍କ ଲୁହକୁ ରୋକିପାରିଲେ ନାହିଁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଠାରୁ ୭ ୱିକେଟରେ ହାରିଯାଇଥିଲା । ଏହି ସମୟରେ ରାଜସ୍ଥାନ ରୟାଲ୍ସ ଷ୍ଟାର ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ୯୬ରନର ଦମଦାର ଇନିଂସ ରେ ୨୧୪ ରନ କରିଥିଲା । ଜବାବରେ ଗୁଜୁରାଟ ଟାଇଟାନ୍ସ କେବଳ ୩ ୱିକେଟ ହରାଇ ୮ ବଲ୍ ପୂର୍ବରୁ ଲକ୍ଷ୍ୟ ହାସଲ କରିଥିଲା। ଗୁଜୁରାଟ ବ୍ୟାଟର ରାହୁଲ ତେୱାତିଆ ବିଜୟୀ ଚୌକା ମାରିବା ମାତ୍ରେ, ଆଇପିଏଲ ୨୦୨୬ରେ ରାଜସ୍ଥାନର ଯାତ୍ରା ଶେଷ ହୋଇଯାଇଥିଲା । ଆଉ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ତାଙ୍କ ଶତକରୁ ବଞ୍ଚିତ ହୋଇଥିଲେ । ଯାହା ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାବପ୍ରବଣ କରିଦେଇଥିଲା ।
ଏହା ପରେ ସିଧା ମୁହଁ ଶୁଖାଇ ଚାଲିଯାଇଥିଲେ ବୈଭବ । ଦଳର ଖେଳାଳୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବାର ନଜର ଆସିଥିଲା । ହେଲେ ବୈଭବ ସିଧା ସେଠୁ ଡଗଆଉଟ୍ ଚାଲିଯାଇଥିଲେ । ସେଠି କୋଣରେ ବସି ମୁହଁ ତଳକୁ କରି କାନ୍ଦିବାକୁ ଲାଗିଥିଲେ ବେବି ବୈଭବ । ତାଙ୍କର ସେ କୁନି ମନ ପରାଜୟରେ ଭାଙ୍ଗିପଡିଥିବା ବେଳେ କ୍ୟାପ ତଳେ ମୁହଁକୁ ଲୁଚାଇ ବୈଭବ କାନ୍ଦୁଥିବାର ଏହି ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଥିଲା । ପରେ ଜଣେ ସାଥି ତାଙ୍କୁ ରୁମାଲ ଦେଇଥିବା ବେଳେ ସେ ତାଙ୍କର ପରାଜୟର ଲୁହକୁ ପୋଛୁଥିବାର ନଜର ଆସିଥିଲେ । ଯାହା ଇଣ୍ଟରନେଟର ହୃଦୟକୁ ମଧ୍ୟ ବେଶ୍ କଷ୍ଟ ଦେଇଛି । କୁନି ବୈଭବଙ୍କ ଏହି ଭାବପ୍ରବଣ ମୂହୁର୍ତ୍ତରେ ସମସ୍ତେ ଦୁଃଖ ପ୍ରକାଶ କରିଥିବା ବେଳେ ମ୍ୟାଚରେ ତାଙ୍କର ଦମଦାର ପ୍ରଦର୍ଶନକୁ ବେଶ୍ ପ୍ରଶଂସା କରାଯାଇଛି । ହାର ଜିତ୍ ତ ଲାଗି ରହିଥାଏ, ଏହା ସେମାନଙ୍କର ଦିନ ନଥିଲା ବୋଲି ଅନେକ ତାଙ୍କୁ ସାନ୍ତ୍ବନା ଦେବାକୁ ଚେଷ୍ଟା କରିଛନ୍ତି ।
ଏହି ସମୟରେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କୁ କ୍ଷମା ମାଗିଛନ୍ତି ବୈଭବ । ରାଜସ୍ଥାନର ଫ୍ୟାନ୍ସଙ୍କୁ ନିରାଶ କରିଥିବାରୁ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ର୍ ଦୁଃଖ ପ୍ରକାଶ କରିଛନ୍ତି । ବୈଭବ ଲେଖିଛନ୍ତି, “ଆଜି ରାତି କଷ୍ଟଦାୟକ। ଏହା ଗଭୀର ଭାବରେ କଷ୍ଟଦାୟକ। ଦୁଃଖ, ହତାଶା, ନିରାଶା ଏବଂ ଆମକୁ ଅନେକ କିଛି ସହ ବସିବାକୁ ପଡିବ। ଯେଉଁମାନେ ଏହି ଯୁବ ଦଳରେ ବିଶ୍ୱାସ କରିଥିଲେ, ଆମ ସହିତ ଠିଆ ହୋଇଥିଲେ, ଆମକୁ ରକ୍ଷା କରିଥିଲେ ଏବଂ ଏହି ସିଜିନରେ ସମସ୍ତ ୧୬ ମ୍ୟାଚରେ ଆମକୁ ଉତ୍ସାହିତ କରିଥିଲେ, ସେମାନଙ୍କୁ ଧନ୍ୟବାଦ। ଆମେ ଶବ୍ଦ ବାହାରେ କୃତଜ୍ଞ। କିନ୍ତୁ ଆମେ ମଧ୍ୟ ଦୁଃଖିତ। ଦୁଃଖିତ ଯେ ଆମେ ଆପଣଙ୍କୁ ସେହି ରାତି ଦେଇପାରିଲୁ ନାହିଁ ଯାହାର ଆପଣ ଯୋଗ୍ୟ ଥିଲେ। ଦୁଃଖିତ ଆମେ ଆପଣଙ୍କୁ ନିରାଶ କରିଥିଲୁ, ଯେତେବେଳେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାକୁ ଆମେ ସବୁବେଳେ ମନେ ରଖିବୁ” ।
ତେବେ ଯଦି IPL ୨୦୨୬ ରେ ବୈଭକଙ୍କ ପ୍ରଦର୍ଶନ ଦେଖିବା, ତେବେ ଏହା ବେଶ୍ ଉଚ୍ଚକୋଟୀର ଥିଲା । ସିଜିନର ସବୁ ମ୍ୟାଚରେ ବୈଭବଙ୍କ ବ୍ୟାଟ୍ ଜୋରସୋର ଗର୍ଜନ କରିଥିଲା । ତଥାପି ଏହି ସିଜିନରେ ୩ ୩ ଥର ଶତକର ଅତି ପାଖରୁ ପଛକୁ ଫେରିଛନ୍ତି ବୈଭବ । ଏହି ସିଜିନରେ ସେ ତାଙ୍କର ଶେଷ ୪ଟି ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ୯୩ ରନରେ, ହାଇଦ୍ରାବାଦ ବିପକ୍ଷରେ ୯୭ ରନ୍ ଏବଂ ଏବେ ଗୁଜରାଟ ବିପକ୍ଷରେ ୯୬ ରନରେ ଆଉଟ୍ ହୋଇଥିଲେ । ଯାହା ତାଙ୍କୁ ବେଶୀ ନିରାଶ କରିଦେଇଥିଲା ।
ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଅରେଞ୍ଜ କ୍ୟାପ୍ ଧାରୀ, ୧୬ ଇନିଂସରେ ମୋଟ ୭୭୬ ରନ୍ କରିଛନ୍ତି। ସେ ଉଭୟ ପ୍ଲେଅଫ୍ ମ୍ୟାଚ୍ ରେ ଚମତ୍କାର ଇନିଂସ ଖେଳିଥିଲେ, କିନ୍ତୁ ଶତକ ହାସଲ କରିପାରି ନଥିଲେ। ଏହି ସିଜନରେ, ସେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଉ ବୈଭବଙ୍କ ଏହି ଚମତ୍କାର ଆଇପିଏଲ ପ୍ରଦର୍ଶନ ପରେ କୁହାଯାଉଛି ଖୁବଶୀଘ୍ର ଟିମ୍ ଇଣ୍ଡିଆରୁ ତାଙ୍କୁ ଡାକରା ଆସିପାରେ ।