ଭୁବନେଶ୍ୱର: ପଳାଶୁଣୀ ବ୍ରିଜ୍ ଉପରେ ଘଟିଥିବା ଚର୍ଚ୍ଚିତ ସଡ଼କ ଦୁର୍ଘଟଣା ମାମଲାରେ ହାଇୱା ଚାଳକ ଜଗମୋହନ ଭୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। କାର୍କୁ ଧକ୍କା ଦେବା ପରେ ଘୋଷାଡ଼ି ନେଇଥିବା ଅଭିଯୋଗକୁ ଗୁରୁତର ଭାବେ ନେଇ ପୋଲିସ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଧାରା ଯୋଡ଼ିଛି।
ବୌଦ୍ଧ ଜିଲ୍ଲା ପୂର୍ଣ୍ଣକଟକ ଅଞ୍ଚଳର ବାସିନ୍ଦା ଜଗମୋହନଙ୍କୁ ପଚରାଉଚରା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତଦନ୍ତ ସମୟରେ ସେ ମଦ୍ୟପାନ କରିନଥିବା ଜଣାପଡ଼ିଛି।
ପୋଲିସ ସମ୍ମୁଖରେ ଦେଇଥିବା ବୟାନରେ ଜଗମୋହନ କହିଛନ୍ତି, ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହେବା ଆଶଙ୍କାରେ ସେ ଗାଡ଼ି ଅଟକାଇନଥିଲେ। ସେହି କାରଣରୁ ଗାଡ଼ି ଚଳାଇ ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ନିକଟରେ କୌଣସି ଥାନା ନ ମିଳିବାରୁ ସେ ସ୍ଥାନ ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବା ମଧ୍ୟ କହିଛନ୍ତି।
ଡିସିପି ଜଗମୋହନ ମିନାଙ୍କ କହିବା ଅନୁସାରେ, ଚାଳକଙ୍କ ବୟାନ ଓ ଘଟଣାର ପରିସ୍ଥିତିକୁ ଆଧାର କରି ମାମଲାରେ ଗୁରୁତର ଧାରା ଲଗାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ରାଜଧାନୀ ବାସିନ୍ଦା ସୁବ୍ରତ ପଟ୍ଟନାୟକ ଓ ତାଙ୍କ ଝିଆରୀ ଆଦ୍ୟାଶା ହଂଶପାଳ କାର୍ରେ ଘରକୁ ଫେରୁଥିଲେ। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଜାତୀୟ ରାଜପଥ ୧୬ର ପଳାଶୁଣୀ ଫ୍ଲାଏଓଭର ଉପରେ ଏକ ଦ୍ରୁତଗାମୀ ହାଇୱା ସେମାନଙ୍କ କାର୍କୁ ପଛପଟୁ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ କାର୍ଟି ହାଇୱା ସହ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲା। ସୌଭାଗ୍ୟବଶତଃ କାର୍ରେ ଥିବା ଉଭୟ ଯାତ୍ରୀ ସୁରକ୍ଷିତ ଥିଲେ।
ଦୁର୍ଘଟଣା ପରେ ହାଇୱାଟି ଘଟଣାସ୍ଥଳ ଛାଡ଼ି ଚାଲିଯିବାକୁ ଚେଷ୍ଟା କରିଥିଲା। ଖବର ପାଇ ମଞ୍ଚେଶ୍ୱର ଥାନାର ଦୁଇଟି ପିସିଆର ଭ୍ୟାନ୍ ତୁରନ୍ତ ପିଛା କରିଥିଲା। ଶେଷରେ ପାହାଳ ଅଞ୍ଚଳ ନିକଟରେ ଗାଡ଼ିଟିକୁ ଅଟକାଇ ଚାଳକଙ୍କୁ କାବୁ କରାଯାଇଥିଲା।