ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଚାନକ ମାଡି ଆସିଥିବା କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରବଳ ଝଡ଼ବର୍ଷା ଯୋଗୁଁ ସହରର ଅଧିକାଂଶ ଅଞ୍ଚଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ରାଜଧାନୀର ଇଲେକ୍ଟ୍ରିସିଟି ଭିତ୍ତିଭୂମି ଉପରେ ଏହାର ବଡ଼ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି।
ବର୍ଷା ସାଙ୍ଗକୁ ପବନର ବେଗ ଏତେ ଅଧିକ ଥିଲା ଯେ ସହରର ବିଭିନ୍ନ ସ୍ଥାନରେ ଶହ ଶହ ବଡ଼ ଗଛ ଉପୁଡି ପଡିଥିଲା। ଗଛ ପଡି ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି ଏବଂ ତାର ଛିଣ୍ଡିଯାଇ ସଙ୍ଗିନ ସମସ୍ୟା ସୃଷ୍ଟି ହୋଇଛି। କାଳବୈଶାଖୀ ବର୍ଷା ପରେ ଘଣ୍ଟା ଘଣ୍ଟା ଧରି ସହରର ପ୍ରମୁଖ ଅଞ୍ଚଳଗୁଡିକରେ ବିଦ୍ୟୁତ ସେବା ଏଯାଏଁ ସ୍ୱାଭାବିକ ହୋଇପାରିନାହିଁ।
ନୟାପଲ୍ଲୀ ଏବଂ ସହିଦନଗର ଭଳି ପ୍ରମୁଖ ବ୍ୟସ୍ତବହୁଳ ଅଞ୍ଚଳରେ ଲୋକେ ଦୀର୍ଘ ସମୟ ଧରି ବିଜୁଳି ନଥାଇ ହନ୍ତସନ୍ତ ହେଉଛନ୍ତି। ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ସେଠାରେ ବ୍ଲାକଆଉଟ ସ୍ଥିତି ଲାଗି ରହିଛି। ଗୋଟିଏ ପଟେ ଗରମ ଏବଂ ଗୁଳୁଗୁଳି ଥିବା ବେଳେ ଅନ୍ୟପଟେ କରେଣ୍ଟ କଟିଯିବାରୁ ଲୋକଙ୍କ ନିଦ ହଜିଯାଇଛି। ଲାଇନ ନଥିବାରୁ ଆପାର୍ଟମେଣ୍ଟ ଗୁଡିକରେ ପିଇବା ପାଣିର ମଧ୍ୟ ଘୋର ଅଭାବ ଦେଖାଦେଇଛି।
ସେହିପରି ରାସ୍ତାଘାଟରେ ଷ୍ଟ୍ରିଟ ଲାଇଟ ଜଳୁନଥିବାରୁ ଯାତାୟାତରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପୂର୍ଣ୍ଣ ଅନ୍ଧାର ଭିତରେ ରାସ୍ତାରେ ଯାନବାହନ ଚଳାଚଳ କରିବା ବିପଦପୂର୍ଣ୍ଣ ହୋଇପଡିଛି। ରାସ୍ତାରେ ଅନେକ ସ୍ଥାନରେ ପାଣି ଜମି ରହିଥିବାରୁ ଲୋକଙ୍କ ସମସ୍ୟା ଆହୁରି ବଢିଯାଇଛି।
ଅନ୍ୟପକ୍ଷରେ ବିଦ୍ୟୁତ ବିଭାଗ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ଭାଙ୍ଗି ପଡିଥିବା ଗଛଗୁଡିକୁ ରାସ୍ତାରୁ ସଫା କରିବା ସହ ଛିଣ୍ଡି ଯାଇଥିବା ବିଦ୍ୟୁତ ତାର ସଜାଡିବା କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।