କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: କାର୍ଯ୍ୟାଳୟ ଶୁଦ୍ଧୀକରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦିନ ଦ୍ୱିପ୍ରହରରେ କଲେକ୍ଟରେଟ୍ ଭିତରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣକ ରାଇତୁଣ୍ଡି ଗ୍ରାମର ୨୬ ବର୍ଷୀୟ ଶ୍ରୀଚନ୍ଦନ ମଲ୍ଲିକ ବୋଲି ଜଣାପଡିଛି। ସେ ବେକରେ ଏକ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା।
ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏହା ପରେ ପ୍ରଶାସନ ପକ୍ଷରୁ କଲେକ୍ଟରେଟ୍ ପରିସରକୁ ବ୍ରାହ୍ମଣ ଡାକି ସମ୍ପୂର୍ଣ୍ଣ ରୂପେ ଶୁଦ୍ଧୀକରଣ କରାଯାଇଛି। ଅନ୍ୟପକ୍ଷରେ ସରକାରୀ ବାବୁଙ୍କ ଅବହେଳା ଏବଂ ଜମି ହସ୍ତାନ୍ତର ସମସ୍ୟା ନେଇ ବାରମ୍ବାର ଅଫିସ୍ ଦୌଡ଼ି ନିରାଶ ହେବା ପରେ ଯୁବକ ଜଣକ ଏଭଳି ପଦକ୍ଷେପ ନେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିରୋଧୀ ବିଜୁ ଜନତା ଦଳ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିବା ସହ ଏହାକୁ ଏକ ବଡ଼ ପ୍ରଶାସନିକ ବିଫଳତା ବୋଲି ଦର୍ଶାଇଛି। ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁନଥିବାରୁ ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି।
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଜିଲ୍ଲାପାଳଙ୍କ ଅଫିସ ଭଳି ଏକ ସୁରକ୍ଷିତ ସ୍ଥାନରେ ଯୁବକ ଜଣକ କିପରି ଏତେ ବଡ଼ ପଦକ୍ଷେପ ନେଲେ ଏବଂ ଏହା ପଛର ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।