Latest Odisha News

BREAKING NEWS

ଗରିବଙ୍କ ପାଇଁ ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି କମିଲା ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଫି

ଭୁବନେଶ୍ୱର: ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ କ୍ୟାବିନେଟ ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଏବଂ ଅନ୍ୟାନ୍ୟ ରାଜ୍ୟ ସରକାରୀ ଆବାସ ଯୋଜନା ଅଧୀନରେ ଘର କିଣୁଥିବା ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଡ୍ୟୁଟି ଏବଂ ପଞ୍ଜୀକରଣ ଫି ବହୁ ମାତ୍ରାରେ ହ୍ରାସ କରାଯାଇଛି। ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ନୂଆ ନିୟମ ଅନୁଯାୟୀ ୬୦ ବର୍ଗ ମିଟର ପର୍ଯ୍ୟନ୍ତ କାର୍ପେଟ ଏରିଆ ଥିବା ଘର ପାଇଁ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଫି ମାତ୍ର ୦.୬ ପ୍ରତିଶତରୁ ୦.୭ ପ୍ରତିଶତ ପର୍ଯ୍ୟନ୍ତ ରହିବ। ମାଲିକାନା ବର୍ଗ ଏବଂ ଲିଙ୍ଗଗତ ଭିତ୍ତିରେ ଏହି ଦେୟ ସ୍ଥିର କରାଯିବ। ବର୍ତ୍ତମାନ ରାଜ୍ୟରେ ଏହି ଦେୟ ୬ ପ୍ରତିଶତରୁ ୭ ପ୍ରତିଶତ ରହିଛି। ଏହି ଫି କମିବା ଫଳରେ ଗରିବ ପରିବାର ଗୁଡ଼ିକର ଘର ପଞ୍ଜୀକରଣ ଖର୍ଚ୍ଚ ପ୍ରାୟ ଏକ ଦଶମାଂଶ କମିଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ନିମ୍ନ ଆୟକାରୀ ପରିବାର ଉପରୁ ଆର୍ଥିକ ବୋଝ କମାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ସହରାଞ୍ଚଳ ସଂସ୍କାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ୨୦୨୪ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳର ଦ୍ୱିତୀୟ ପର୍ଯ୍ୟାୟ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ।

ସହରାଞ୍ଚଳରେ ଥିବା ସମସ୍ତ ଗରିବ ହିତାଧିକାରୀଙ୍କ ପାଇଁ ଏହି ରିହାତି ଲାଗୁ ହେବ। ଏହି କାର୍ଯ୍ୟକ୍ରମର ପରିଚାଳନା ପାଇଁ ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନକୁ ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା କେନ୍ଦ୍ର ମନ୍ତ୍ରଣାଳୟ ସହ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷର କରିସାରିଛି।

ଏହି ସଂସ୍କାରମୂଳକ ପଦକ୍ଷେପ ଦ୍ୱାରା ଲୋକେ ଶସ୍ତାରେ ଘର କିଣିବାକୁ ଆଗ୍ରହ ଦେଖାଇବେ ବୋଲି ସରକାର ଆଶା କରୁଛନ୍ତି।

Leave A Reply

Your email address will not be published.