Latest Odisha News

BREAKING NEWS

ରାଜପଥରେ ଡିଜେଲ ସଙ୍କଟ: ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଟ୍ରକ

ବାଲେଶ୍ୱର: ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ହଠାତ୍ ଡିଜେଲ ସଙ୍କଟ ଦେଖାଦେଇଛି। ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲା ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ଡିଜେଲ ନମିଳିବା ଯୋଗୁଁ ଗାଡ଼ି ଚାଳକ ଏବଂ ପରିବହନ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ବୁଧବାର ସନ୍ଧ୍ୟା ଠାରୁ ଏହି ସମସ୍ୟା ଆରମ୍ଭ ହୋଇଛି। ଅନେକ ପେଟ୍ରୋଲ ପମ୍ପରେ ଡିଜେଲ ଷ୍ଟକ୍ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି। ଫଳରେ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଟ୍ରକ୍ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ମାଲବାହୀ ଗାଡ଼ିଗୁଡ଼ିକ ଅଟକି ରହିଛି। ଗାଡ଼ିଗୁଡ଼ିକ ଆଗକୁ ଯାଇ ନପାରି ରାସ୍ତା କଡ଼ରେ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।

 

ମୁଖ୍ୟ ତେଲ ଡିପୋଗୁଡ଼ିକରୁ ପର୍ଯ୍ୟାପ୍ତ ପରିମାଣର ଡିଜେଲ ଯୋଗାଣ ହେଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ପେଟ୍ରୋଲ ପମ୍ପ ମାଲିକମାନେ କହିଛନ୍ତି। ସେମାନଙ୍କ କହିବା ଅନୁସାରେ, ପୂର୍ବରୁ ଥିବା ଷ୍ଟକ୍ ସରିଯାଇଛି ଏବଂ ନୂଆ କରି ଡିଜେଲ ଆସୁ ନଥିବାରୁ ଇନ୍ଧନ ବିତରଣ ବାଧାପ୍ରାପ୍ତ ହୋଇଛି।

 

ତେବେ ଡିଜେଲର ଅଭାବ ଥିଲେ ମଧ୍ୟ ପେଟ୍ରୋଲ ଯୋଗାଣ ସ୍ୱାଭାବିକ ରହିଛି। ପେଟ୍ରୋଲ ପମ୍ପ କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି ଯେ ପେଟ୍ରୋଲ୍ ଷ୍ଟକ୍ ପ୍ରଚୁର ପରିମାଣରେ ଅଛି ଏବଂ ଗାଡ଼ିଗୁଡ଼ିକୁ ବିନା କୌଣସି ବାଧାରେ ପେଟ୍ରୋଲ ଯୋଗାଇ ଦିଆଯାଉଛି।

 

ଡିଜେଲ ଅଭାବ ଯୋଗୁଁ ଦୂରଦୂରାନ୍ତକୁ ଯାଉଥିବା ଗାଡ଼ି ଚାଳକ ଏବଂ ପରିବହନ ସଂସ୍ଥାଗୁଡ଼ିକ ବିଶେଷ ଭାବେ ଚିନ୍ତାରେ ପଡ଼ିଛନ୍ତି। ତେବେ ଏହି ଅବ୍ୟବସ୍ଥା ରାଜଧାନୀ ଭୁବନେଶ୍ୱର କିମ୍ବା ଅନ୍ୟ ଜିଲ୍ଲାରେ ପରିଲିଖିତ ହୋଇନାହିଁ। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ଚିନ୍ତା କରୁଥିବା କୁହାଯାଉଛି।

Leave A Reply

Your email address will not be published.