ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଜୁନ ୧୩ରୁ ଦିନିକିଆ ସିିରିଜ ଖେଳାଯିବ । ୫ ମାସ ପରେ ରୋହିତ ଶର୍ମା ଦିନିକିଆ ମ୍ୟାଚ ଖେଳିବାକୁ ଯାଉଥିବାରୁ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି । ଚଳିତ ବର୍ଷ ଆରମ୍ଭରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ଆଫଗାନିସ୍ତାନ ବିପକ୍ଷ ସିରିଜରେ ରୋହିତ ଭଲ ପ୍ରଦର୍ଶନ କଲେ କେତେଗୁଡିଏ ରେକର୍ଡ ଭଙ୍ଗ କରିପାରନ୍ତି । ଦିନିକିଆରେ ସର୍ବାଧିକ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ସୌରଭ ଗାଙ୍ଗୁଲିଙ୍କ ସହ ମିଳିତ ଭାବେ ୮ମ ସ୍ଥାନରେ ରହିଛନ୍ତି । ଉଭୟ ୯୪ ଥର ଏହି ସଫଳତା ହାସଲ କରିଛନ୍ତି ।
ରୋହିତ ଯଦି ସିରିଜରେ ୨ ଥର ୫୦ରୁ ଊର୍ଦ୍ଧ୍ୱ ସ୍କୋର କରନ୍ତି ତେବେ ଗାଙ୍ଗୁଲି ଓ ରାହୁଲ ଡ୍ରାଭତଡଙ୍କୁ ପଛରେ ପକାଇ ପାରିବେ । ତେବେ ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର(୧୪୫), ବିରାଟ କୋହଲି(୧୩୧) ଓ କୁମାର ସଙ୍ଗକାରା(୧୧୮) ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ସେହିପରି ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିବାରେ ରୋହିତ ୯ମ ସ୍ଥାନରେ ରହିଛନ୍ତି । ସେ ୧୧୫୭୭ ରନ କରିଛନ୍ତି । ରୋହିତ ଯଦି ୧୬୩ ରନ ସଂଗ୍ରହ କରିବେ ତେବେ ଜ୍ୟାକ କାଲିସ ଓ ଇଞ୍ଜାମାମ ଉଲ ହକଙ୍କୁ ପଛରେ ପକାଇ ୭ମ ସ୍ଥାନକୁ ଉନ୍ନୀତ ହେବେ ।