Latest Odisha News

BREAKING NEWS

ସତରେ କ’ଣ ମମତା ପୁଣି କଂଗ୍ରେସକୁ ଫେରିବେ ?

୧୯୮୪ ରୁ ୨୦୨୬: ଯେଉଁଠୁ ଆରମ୍ଭ, ସେଇଠି ଶେଷ ହେବା ନେଇ ଚର୍ଚ୍ଚା !

କୋଲକାତା: ପଶ୍ଚିମବଙ୍ଗ ରାଜନୀତି ଏବେ ଏକ ଏଭଳି ମୋଡ଼ରେ ପହଞ୍ଚିଛି, ଯାହା ଆଜିଠାରୁ ୬ ମାସ ପୂର୍ବେ କେହି କଳ୍ପନା ସୁଦ୍ଧା କରିନଥିଲେ। ୨୦୨୬ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଭାଙ୍ଗିବା ଅବସ୍ଥାକୁ ଚାଲିଆସିଛି। ଆଉ ଏହି ସଙ୍କଟ ମଧ୍ୟରେ ସବୁଠାରୁ ବଡ଼ ଖବର ହେଉଛି—ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ମମତା ବାନାର୍ଜୀ ପୁଣି ଥରେ କଂଗ୍ରେସ ହାତ ଧରିପାରନ୍ତି ! ଅର୍ଥାତ୍ ୨୮ ବର୍ଷ ତଳେ ଯେଉଁ ଘର ସେ ଛାଡ଼ିଥିଲେ, ସେହି ଘରକୁ ପୁଣି ଫେରିବା ପାଇଁ ପ୍ରସ୍ତୁତି ଚାଲିଛି।

୧୯୮୪ ରୁ ୨୦୨୬: ଯେଉଁଠୁ ଆରମ୍ଭ, ସେଠି ଶେଷ ?

ଏହି କାହାଣୀ ଆରମ୍ଭ ହୋଇଥିଲା ୧୯୮୪ ମସିହାରେ, ଯେତେବେଳେ ଜାଦବପୁର ଆସନରୁ କଂଗ୍ରେସର ଏକ ସାଧାରଣ ଯୁବ ଚେହେରା ଭାବେ ମମତା ବାନାର୍ଜୀ ସିପିଆଇ(ଏମ)ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କୁ ହରାଇ ସାରା ଦେଶକୁ ଚକିତ କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସର ଆଭିମୁଖ୍ୟରେ ଅସନ୍ତୁଷ୍ଟ ହୋଇ 1998 ମସିହାରେ ସେ କଂଗ୍ରେସ ଛାଡ଼ି ‘ତୃଣମୂଳ କଂଗ୍ରେସ’ ଗଠନ କରିଥିଲେ।

ଏହାପରେ ସିଙ୍ଗୁର ଓ ନନ୍ଦୀଗ୍ରାମ ଆନ୍ଦୋଳନ ମାଧ୍ୟମରେ ୨୦୧୧ ମସିହାରେ ସେ ବେଙ୍ଗଲରୁ ୩୪ ବର୍ଷର ବାମପନ୍ଥୀ ଶାସନର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଗତ ୧୫ ବର୍ଷ ଧରି ବେଙ୍ଗଲରେ ଏକଛତ୍ର ଶାସନ କରିବା ସହ ସେ ବାମପନ୍ଥୀ, କଂଗ୍ରେସ ଏବଂ ବିଜେପି ଭଳି ତିନୋଟି ଶକ୍ତିଶାଳୀ ଦଳକୁ ପରାସ୍ତ କରିଥିଲେ। କିନ୍ତୁ ୨୦୨୬ ନିର୍ବାଚନ ଫଳାଫଳ ଟିଏମସିର ସାମ୍ରାଜ୍ୟକୁ ଦୋହଲାଇ ଦେଇଛି।

ଦଳ ଭିତରେ ବଡ଼ ବିଦ୍ରୋହ: ଅଣନିଶ୍ୱାସୀ ମମତା !

ବେଙ୍ଗଲରେ ବିଜେପିର ବିଜୟ ପରେ ଟିଏମସି ଭିତରେ ବିଦ୍ରୋହର ନିଆଁ ଜଳୁଛି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱକୁ ବିରୋଧ କରି ଦଳର ୭୮ ଜଣ ବିଧାୟକଙ୍କ ମଧ୍ୟରୁ ୫୯ ଜଣ ଖୋଲାଖୋଲି ବିଦ୍ରୋହ କରିଛନ୍ତି। ସେହିପରି ଲୋକସଭାରେ ମଧ୍ୟ କାକୋଲି ଘୋଷଙ୍କ ନେତୃତ୍ୱରେ ୧୫ ରୁ ଅଧିକ ସାଂସଦ ଦଳ ଛାଡ଼ି ଏନଡିଏକୁ ସମର୍ଥନ ଦେବାକୁ ପ୍ରସ୍ତୁତ ହେଉଛନ୍ତି।

ସେତିକି ନୁହେଁ, ରାଜ୍ୟସଭାରେ ମଧ୍ୟ ଦଳକୁ ବଡ଼ ଧକ୍କା ଲାଗିଛି। ସୁଖେନ୍ଦୁ ଶେଖର ରାୟ ଏବଂ ସୁସ୍ମିତା ଦେବଙ୍କ ପରେ ଗୁରୁବାର ପ୍ରକାଶ ଚିକ ବଡ଼ାଇକ ମଧ୍ୟ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

କଂଗ୍ରେସ ସହ ମିଶ୍ରଣ ଚର୍ଚ୍ଚା !

ଏହି ମହାସଙ୍କଟ ମଧ୍ୟରେ ମମତା ବାନାର୍ଜୀ ଗତ ମଙ୍ଗଳବାର ଦିଲ୍ଲୀରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହା ସହ ଅଭିଷେକ ବାନାର୍ଜୀ ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି। ଯଦିଓ ଉଭୟ ଦଳ ଏହି ମିଶ୍ରଣ ଖବରକୁ ସ୍ୱୀକାର କରୁନାହାନ୍ତି, କିନ୍ତୁ ଭିତରେ ଭିତରେ ବଡ଼ ରଣନୀତି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

ଯେଉଁ କଂଗ୍ରେସ ସାହାଯ୍ୟରେ ମମତା ୨୦୧୧ରେ ଜିତିଥିଲେ, ପରବର୍ତ୍ତୀ ୧୫ ବର୍ଷ ସେ ସେହି କଂଗ୍ରେସକୁ ବେଙ୍ଗଲରୁ ସଫା କରିବାକୁ ସବୁ ଚେଷ୍ଟା କରିଥିଲେ। ଯେଉଁ କଂଗ୍ରେସକୁ ହରାଇବା ଏବଂ ବାମପନ୍ଥୀଙ୍କୁ ମୂଳପୋଛ କରିବା ପାଇଁ ମମତା ବାନାର୍ଜୀ ନିଜର ସାରା ଜୀବନ ଲଗାଇ ଦେଇଥିଲେ, ଆଜି ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ସେହି କଂଗ୍ରେସର ଶରଣାପନ୍ନ ହେବା ଇତିହାସର ସବୁଠାରୁ ବଡ଼ ବିଡ଼ମ୍ବନା। କଣ ମମତା ବାନାର୍ଜୀ ପୁଣି କଂଗ୍ରେସକୁ ଫେରିବେ ? ଏହି ମିଶ୍ରଣ ବେଙ୍ଗଲ ରାଜନୀତିକୁ କେଉଁ ମୋଡ଼କୁ ନେବ ? ଏହା ଉପରେ ରହିଛି ସାରା ଦେଶର ନଜର।

Leave A Reply

Your email address will not be published.