ଓ୍ୱାଶିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିର ଅନ୍ତ ଘଟିଛି। ଉଭୟ ଦେଶ ଐତିହାସିକ ଶାନ୍ତି ଚୁକ୍ତି ପାଇଁ ସହମତି ପ୍ରକାଶ କରିଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦର ସମାଧାନ କରିବାରେ ବିଶ୍ୱର ପ୍ରମୁଖ ମୁସଲିମ ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏହି ଶାନ୍ତି ପ୍ରକ୍ରିୟାରେ ସହଯୋଗ କରିଥିବା ସମସ୍ତ ସହଯୋଗୀ ଦେଶକୁ ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ ଜରିଆରେ କୃତଜ୍ଞତା ଜଣାଇଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଚୁକ୍ତିନାମା ପାଇଁ କାତାର, ସାଉଦି ଆରବ ଏବଂ ତୁର୍କୀ ଭଳି ଦେଶଗୁଡ଼ିକ ପ୍ରଶଂସନୀୟ କାମ କରିଛନ୍ତି। ବିଶେଷ କରି ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟସ୍ଥତା କରି ଏକ ବଡ଼ ସଙ୍କଟକୁ ଏଡ଼ାଇବାରେ ସଫଳ ହୋଇଛନ୍ତି। ଚୁକ୍ତି ଅନୁସାରେ ଲେବାନନ ସମେତ ସମସ୍ତ ପ୍ରକାରର ସାମରିକ ଆକ୍ରମଣ ଓ ହିଂସାତ୍ମକ ଗତିବିଧିକୁ ତୁରନ୍ତ ବନ୍ଦ କରାଯିବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଶାନ୍ତି ଚୁକ୍ତିକୁ ନେଇ ବଡ଼ ଘୋଷଣା କରିସାରିଛନ୍ତି। ହର୍ମୁଜ ପ୍ରଣାଳୀରୁ ଆମେରିକା ନିଜର ସାମୁଦ୍ରିକ ଅବରୋଧ ହଟାଇବାକୁ ମଧ୍ୟ ସହମତ ହୋଇଛି। ଏହି ସଫଳ ଆଲୋଚନା ପରେ ଆସନ୍ତା ଜୁନ୍ ୧୯ ତାରିଖରେ ସୁଇଜରଲ୍ୟାଣ୍ଡରେ ଆନୁଷ୍ଠାନିକ ଭାବେ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବାର ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀ ମାସରୁ ଆମେରିକା ଓ ଇରାନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ତେଜିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏପ୍ରିଲ ମାସରେ ପ୍ରଥମେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏବେ ମୁସଲିମ ଦେଶଗୁଡ଼ିକର ସକ୍ରିୟ ସହଯୋଗ କାରଣରୁ ଏହି ଦୀର୍ଘଦିନର ବିବାଦର ସ୍ଥାୟୀ ସମାଧାନ ଦିଗରେ ବିଶ୍ୱ ସମୁଦାୟକୁ ଏକ ବଡ଼ ସଫଳତା ମିଳିଛି।
ବଡ଼ କଥା ହେଉଛି ହର୍ମୁଜ ପ୍ରଣାଳୀ ବନ୍ଦ ରହିଥିବାରୁ ଭାରତ ସମେତ ସାରା ବିଶ୍ୱରେ ଏବେ ତେଲ ଅର୍ଥାତ ଇନ୍ଧନ ସଙ୍କଟ ଦେଖାଦେବା ସହ ଦର ମଧ୍ୟ ବଢ଼ିଯାଇଛି। ଯାହାକି ସାରା ବିଶ୍ୱର ଅର୍ଥନୀତିକୁ ଏକ ଅନ୍ଧାର ଆଡକୁ ଠେଲି ନେଇଯାଉଥିବା ବେଳେ ଏହି ଚୁକ୍ତିର ଏକ ରାହା ଦେଖାଇବ।
