ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ବା ଟିଏମସିରେ ଏକ ବଡ଼ ବିଦ୍ରୋହ ମୁଣ୍ଡ ଟେକିଛି। ଦଳର ପ୍ରାୟ ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ଏବେ ତ୍ରିପୁରାର ଆଞ୍ଚଳିକ ଦଳ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ (ଏନସିପିଆଇ) ରେ ସାମିଲ ହେବାକୁ ଯାଉଛନ୍ତି। ଏହି ନିଷ୍ପତ୍ତି ପରେ ପଶ୍ଚିମବଙ୍ଗ ସହିତ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି।
ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ସାଂସଦ କାକୋଲି ଘୋଷ ଦସ୍ତିଦାର ରବିବାର ନୂଆଦିଲ୍ଲୀରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଦଳର ଦୁଇ ତୃତୀୟାଂଶ ସାଂସଦ ସେମାନଙ୍କ ସହ ଥିବା ସେ ଦାବି କରିଛନ୍ତି। ସଂସଦରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି। ଦଳ ବଦଳ ବିରୋଧୀ ଆଇନରୁ ବର୍ତ୍ତିବା ପାଇଁ ଏହି ସାଂସଦମାନେ ଏପରି ରଣନୀତି ଆପଣାଇଥିବା ଚର୍ଚ୍ଚା ହେଉଛି।
ଏହି ବିଦ୍ରୋହୀ ସାଂସଦମାନେ ଏନସିପିଆଇରେ ସାମିଲ ହେବା ସହ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ସମର୍ଥନ କରିବେ ବୋଲି ସ୍ପଷ୍ଟ କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ଏବଂ କେନ୍ଦ୍ରୀୟ ଅନୁଦାନ ପାଇଁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କାମ କରିବାକୁ ଚାହୁଁଥିବା କହିଛନ୍ତି। ସେପଟେ ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଛନ୍ତି ଯେ ପ୍ରକୃତ ଟିଏମସି କିଏ, ସେନେଇ ଆଗାମୀ ଦିନରେ ଅଦାଲତ ନିଷ୍ପତ୍ତି ନେବେ।
ଅପରପକ୍ଷରେ ମମତା ବାନାର୍ଜୀଙ୍କ ଶିବିର ମଧ୍ୟ ଏହାକୁ ନେଇ ସକ୍ରିୟ ହୋଇଉଠିଛି। ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବାଚସ୍ପତିଙ୍କୁ ଚିଠି ଲେଖି ଏହି ବିଦ୍ରୋହୀ ଗୋଷ୍ଠୀକୁ ସ୍ୱତନ୍ତ୍ର ମାନ୍ୟତା ନଦେବାକୁ ଦାବି କରିଛନ୍ତି। ସମ୍ବିଧାନ ଅନୁସାରେ କୌଣସି ଚଳନ୍ତି ଦଳ ଭିତରେ ଅଲଗା ଗୋଷ୍ଠୀ ଗଠନ ବେଆଇନ ବୋଲି ଟିଏମସି ପକ୍ଷରୁ କୁହାଯାଇଛି। ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଏହି ରାଜନୈତିକ ଯୁଦ୍ଧ ଏବେ ଜୋରଦାର ହେବ ବୋଲି ଆଶଙ୍କା କରାଯାଉଛି।
