ଗଞ୍ଜାମ/ଅନୁଗୁଳ: ପୁଅର କାଠଫାଳିଆ ଆକ୍ରମଣରେ ବାପାର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ତୋଟା ସାହିରେ ଘଟିଛି ଏଭଳି ଅଭାବନୀୟ ହତ୍ୟାକାଣ୍ଡ। କୌଣସି କାରଣରୁ ବାପା ସହ ପାଟିତୁଣ୍ଡ ପରେ ପୁଅ କରିଥିଲା ଆକ୍ରମଣ। ସାମାନ୍ୟ ବଚସା ଯୋଗୁଁ କାଠଫାଳିଆରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ। ଗୁରୁତର ବାପାକୁ ଏମ୍କେସିଜିରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବାପାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଅକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।
ସେପଟେ ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ପୋକୁଣ୍ଡା ଗାଁରେ ସାମାନ୍ୟ ବଚସାରୁ ସାନ ଭାଇ ଟାଙ୍ଗିଆରେ ହାଣି ବଡ଼ ଭାଇକୁ ହତ୍ୟା କରିଛି। ମାଣିକଯୋଡି ପଞ୍ଚାୟତ ପୋକୁଣ୍ଡା ଗାଁର ଟିଟୁନ ସିଠ (୩୭) ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ମଦ୍ୟପାନ କରି ଘରକୁ ଫେରିଥିବା ବେଳେ ଘର ଫାଟକ କେହି ଖୋଲିନଥିଲେ। ଫଳରେ ସେ ପରିବାର ଲୋକଙ୍କୁ ଗାଳି କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ବିପିନ ସିଠ ଏକ ଟାଙ୍ଗିଆରେ ବଡ଼ ଭାଇ ଟିଟୁନଙ୍କ ବେକକୁ ଚୋଟ ପକାଇ ଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ସକାଳେ ଖବର ପାଇ ପୁରୁଣାକୋଟ ଥାନା ପୋଲିସ ପୋକୁଣ୍ଡା ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ଅଭିଯୁକ୍ତ ବିପିନକୁ ପୋଲିସ କାବୁ କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି।

Comments are closed.