ଲକ୍ଷ୍ନୌ: ଅଧିନାୟକ ଶୁଭମନ ଗିଲ ଓ ଈଶାନ କିଶାନଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଆଫଗାନିସ୍ତାନକୁ ୧୭୦ ରନରେ ହରାଇଛି । ୨-୦ରେ ଅଗ୍ରଣୀ ରହି ଟିମ ଇଣ୍ଡିଆ ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରୋ ଆଗୁଆ ସିରିଜ ଜିତିନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୪୦୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଗିଲ ୧୫୪ ଓ ଈଶାନ ୧୨୫ ରନର ଇନିଂସ ଖେଳିଥିଲେ । ତୃତୀୟ ୱିକେଟରେ ୨୨୪ ରନ ଯୋଗ କରିବା ଯୋଗୁ ଭାରତ ୪୦୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା ।
ଜବାବରେ ୪୪.୩ ଓଭରରେ ଆଫଗାନିସ୍ତାନ ୨୩୨ ରନ କରିବାକୁ ସକ୍ଷମ ହୋଇଥିଲା । ରହମାତ ଶାହ ୭୯ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ଗୁରନୂର ବରାର ୩ଟି ଲେଖାଏଁ ୱିକେଟ ନେଇଥିଲେ । ପ୍ରଥମ ଦିନିକିଆରେ ଭାରତ ୭ ୱିକେଟରେ ବିଜୟ ହାସଲ କରିଥିଲା । ସିରିଜର ତୃତୀୟ ତଥା ଅନ୍ତିମ ମୁକାବିଲା ୨୦ରେ ଚେନ୍ନାଇରେ ଖେଳାଯିବ । ପ୍ରଭାବୀ ପ୍ରଦର୍ଶନ ପାଇଁ ଗିଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
