କନ୍ଧମାଳ: ଗତ ମାର୍ଚ୍ଚ ୩୧ ତାରିଖରୁ କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ତେବେ ଜିଲ୍ଲାରେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରି ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ଜବତ କରୁଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ମାଓ ଡମ୍ପ୍ ଠାବ ହୋଇଛି। ୬ ବନ୍ଧୁକ, ଅଫୁଟା ଗୁଳି, ବିପୁଳ ବିସ୍ଫୋରକ ଜବତ ହୋଇଛି।
ଗତ ୧୧ ତାରିଖରେ ବାଲିଗୁଡା ଅଞ୍ଚଳରୁ ବିପୁଳ ପରିମାଣରେ ଏଭଳି ସାମଗ୍ରୀ ଜବତ ହୋଇଥିବା ବେଳେ ଏବେ ପୁଣି କୋଟଗଡ ଥାନା ଅଂଚଳରେ ଏଭଳି ଡମ୍ପ ଠାବ ହୋଇଛି। ଆଜି ସ୍ଥାନୀୟ ପୁଲିସ ରିଜର୍ଭ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ରମେନ୍ଦ୍ର ପ୍ରସାଦ ଦେଇଥିବା ସୂଚନା ଅନୁଯାୟୀ, ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ ଥାନା ଅଧିନ ସୀତାଗୁଡା, ଗଂଜୁଗୁଡା, କୁଟିବାରି, ଗୁଡ୍ରିକିଆ, ଲାଞ୍ଜାମ ଅଂଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରା ଯାଇଥିଲା । ଏହି ଅପରେସନ ବେଳେ କୋଟଗଡ ଅଞ୍ଚଳରେ ଜଙ୍ଗଲ ଭିତରେ ଲୁଚାଇ ରଖା ଯାଇଥିବା ଗୋଟିଏ ୩୦୩ ରାଇଫଲ, ୨ଟି ୧୨ ବୋର ବନ୍ଧୁକ, ଦୁଇଟି ସିଙ୍ଗିଲ ସଟ୍ ବନ୍ଧୁକ, ଗୋଟିଏ ୮ ଏମ୍ଏମ୍ ବନ୍ଧୁକ, ଡିଟୋନେଟେର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା । ବୋମା ନିଷ୍କ୍ରିୟ ଦଳ ପହଁଚି ତଦାରଖ କରିବା ପରେ ଏସବୁ ସାମଗ୍ରୀ ଜବତ କରାଯାଇଥିଲା।
ସୂଚନାଯୋଗ୍ୟ, ୨୦୨୫ ଜାନୁଆରୀରୁ ୨୦୨୬ ମାର୍ଚ୍ଚ ୩୧ ମଧ୍ୟରେ ୨୫ ଡିସେମ୍ବରରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ସମେତ ୧୦ ଜଣ ମାଓବାଦୀ ସୁରକ୍ଷା ବାହିନୀଙ୍କ ଗୁଳିରେ ନିହତ ହେବା ସହ ରାଜ୍ୟ କମିଟି ସଦସ୍ୟ ସୁକ୍ରୁ ଏବଂ ନିତୁଙ୍କ ସମେତ ୨୪ ଜଣ ମାଓବାଦୀ ପୁଲିସ ପାଖରେ ଆତ୍ମ ସମର୍ପଣ କରିଥିଲେ । ଆଗାମୀ ଦିନରେ ମାଓବାଦୀ କାର୍ଯ୍ୟପଳାପକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଏସ୍ଓଜି, ଡିିଭିଏଫ, ସିଆରପିଏଫ, ବିଏସ୍ଏଫ ଯବାନଙ୍କ ଦ୍ୱାରା ନିୟମିତ ଭାବେ କମ୍ବିଂ ଏବଂ ସର୍ଚ୍ଚ ଅପରେସନ ରହିଛି ବୋଲି ଏସ୍ପି କହିଛନ୍ତି ।
