ଭୁବନେଶ୍ବର: ଅନୁଗୁଳ ପୋଲିସ୍ର ଡବଲ୍ ଏନକାଉଣ୍ଟରରେ ଗୁରୁତର ହୋଇଛନ୍ତି ୨ ସୁନା ଲୁଟେରା। ମହାରାଷ୍ଟ୍ରର ଦୁଇ ଅପରାଧୀ ଏହି ଏନକାଉଣ୍ଟରରେ ଆହତ ହୋଇଛନ୍ତି।
ଅପରାଧୀମାନେ ହେଲେ ସଚିନ ଗଜଗେ ଓ ପ୍ରକାଶ ମାଦନେ।ଉଭୟଙ୍କୁ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି
ପୋଲିସ ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ହଟାଟୋଟାରେ ଥିବା ରିଫାଇନାରୀରୁ ସଶସ୍ତ୍ର ଦୁର୍ବୃତ୍ତମାନେ ପ୍ରାୟ ୨୩୦ ଗ୍ରାମ ସୁନା, ୬୦ ଗ୍ରାମ ସୁନା ଅଳଙ୍କାର ଏବଂ ୭୦୦ ଗ୍ରାମ ରୂପା ଅଳଙ୍କାର ଲୁଟି ନେଇଛନ୍ତି। ଡକାୟତମାନେ ବନ୍ଧୁକ ମୁନରେ ଜଣେ କର୍ମଚାରୀଙ୍କୁ ଅପହରଣ କରି ନକଲି ନମ୍ବର ପ୍ଲେଟ୍ ଲାଗିଥିବା ଏକ ହୁଣ୍ଡାଇ ଭର୍ଣ୍ଣାରେ ପଳାଇ ଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ଘଟଣା ପରେ ଅନୁଗୁଳ ପୋଲିସ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ପାଞ୍ଚଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ସିସି ଟିଭି ଫୁଟେଜ୍ ଆଧାର କରି ଏବଂ ସନ୍ଦିଗ୍ଧଙ୍କ ଗତିବିଧି ଟ୍ରାକ୍ କରିବା ସହ ପୋଲିସ ଗାଡ଼ିଟିକୁ ଚିହ୍ନଟ କରିଥିଲା। ଏଥିସହିତ ଗାଡ଼ିର ପିଛା କରିଥିଲା ଅଧିକାରୀ। ଏହି ସମୟରେ ପୋଲିସ ଦେଖି ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିଲେ। ଫଳରେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା। ଯେଉଁଥିରେ ଦୁଇ ଅଭିଯୁକ୍ତ ସଚିନ ଗଜଗେ ଏବଂ ପ୍ରକାଶ ମାଦନେ ଗୋଡ଼ରେ ଗୁଳି ବାଜିଥିଲା। ଆହତ ଅବସ୍ଥାରେ ପରେ ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା।
