ଭୁବନେଶ୍ବର: ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ ଦୁଇ ଜଣକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଘଟଣା ସମ୍ପର୍କରେ ଆହୁରି ଖୋଳତାଡ କରି ତଥ୍ୟ ଆଦାୟ କରିବା ପାଇଁ ଏହି ଦୁଇ ଜଣଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।
ଏବେବି ଏହି ମାମଲାରେ ଜଡିତ ଆହୁରି ୫ ରୁ ୬ ଅଭିଯୁକ୍ତ ଫେରାର ରହିଛନ୍ତି । ଫେରାର ଥିବା ଜଣେ ଅଭିଯୁକ୍ତ ଭାରତ ଦଳେଇ ଆଗୁଆ ଜାମିନ ଲାଗି ହାଇକୋର୍ଟରେ ଆବେଦନ କରିଥିବା ଜଣାପଡିଛି ।
ଅନ୍ୟପଟେ, ଏହି ମାମଲାରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ପଛରେ ପୋଲିସ ମହାନିର୍ଦ୍ଦେଶକ ବା ଡିଜିପିଙ୍କ ଏକ ଗୋପନୀୟ ତଦନ୍ତ ରିପୋର୍ଟ ରହିଛି । ପୂର୍ବତନ ଏଡିଜିପି ରେଳବାଇ ଓ ମୁଖ୍ୟାଳୟ ତଥା ବର୍ତ୍ତମାନର ଗୃହ ବିଭାଗ ଓଏସଡି ଭାବେ କାର୍ଯ୍ୟରତ ଗାଙ୍ଗୱାର କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଘରେ ୮ ଜଣ ଜିଆରପି କର୍ମଚାରୀଙ୍କୁ ରଖି କାମ କରାଉଥିବା ନେଇ ଡିଜିପି ଏକ ଗୋପନୀୟ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଗୁରୁତର ଅସଦାଚରଣ ଓ ସର୍ବଭାରତୀୟ ସେବା ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
