Latest Odisha News

BREAKING NEWS

Cracking Fingers and Neck: ବାରମ୍ବାର ଆଙ୍ଗୁଠି କି ବେକ ଫୁଟାଉଛନ୍ତି କି? ଏହା କେବଳ ଅଭ୍ୟାସ ନୁହେଁ, ହୋଇପାରେ ମସ୍ତିଷ୍କର ଏକ ସଙ୍କେତ?

ଭୁବନେଶ୍ୱର: ଅଫିସରେ କାମ କରୁଥିବା ବେଳେ, ମିଟିଂ ମଧ୍ୟରେ କିମ୍ବା କିଛି ଚିନ୍ତା କରୁଥିବା ସମୟରେ ହଠାତ୍ ଆପଣ ନିଜ ଆଙ୍ଗୁଠି ଫୁଟାଇ ଦେଉଛନ୍ତି କି? ବେକକୁ ଏପଟ ସେପଟ କରି ଫୁଟାଇ ଆରାମ ଅନୁଭବ କରୁଛନ୍ତି କି? ଯଦି ହଁ, ତେବେ ଆପଣ ଏକା ନୁହଁନ୍ତି…ମନୋବିଜ୍ଞାନୀମାନଙ୍କ ମତରେ, ଏହି ଅଭ୍ୟାସ କେବଳ ଶରୀର ସହ ଜଡିତ ନୁହେଁ, ବରଂ ମନର ଅବସ୍ଥା ସହ ମଧ୍ୟ ଗଭୀର ଭାବେ ସମ୍ପର୍କିତ। ବହୁ କ୍ଷେତ୍ରରେ ଲୋକମାନେ ଅଜାଣତରେ ମାନସିକ ଚାପ, କ୍ଳାନ୍ତି କିମ୍ବା ଭିତରେ ଜାରି ରହିଥିବା ଅସ୍ଥିରତାକୁ କମାଇବା ପାଇଁ ଏପରି କରିଥାନ୍ତି।

ମନୋବିଜ୍ଞାନୀଙ୍କ ମତରେ ଏହା ଆମ ମସ୍ତିଷ୍କ ପାଇଁ ‘ରିସେଟ୍ ବଟନ୍’ ହୋଇପାରେ । ମନୋବିଜ୍ଞାନର ସେଲ୍ଫ ରେଗୁଲେସନ ଥିଓରୀ ଅନୁସାରେ, ମଣିଷର ମସ୍ତିଷ୍କ ସବୁବେଳେ ନିଜକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରେ। କେହି ଚାପରେ ଚା ପିଅନ୍ତି, କେହି ପାଦ ହଲାନ୍ତି, କିଏ ଏକା ଏକା ନିଜ ସହ କିଛି ଗୁଣୁ ଗୁଣାଏ, ଆଉ କେହି କେହି ବାରମ୍ବାର ଆଙ୍ଗୁଠି କିମ୍ବା ବେକ ଫୁଟାନ୍ତି। ଏହା କରିବା ପରେ ଯେଉଁ ଅସ୍ଥାୟୀ ଆରାମ ମିଳେ, ମସ୍ତିଷ୍କ ତାହାକୁ ଏକ ପ୍ରକାର “ରିସେଟ୍” ଭାବେ ଗ୍ରହଣ କରେ। ଆଉ ଏହା ପରେ ଆମକୁ ତୁରନ୍ତ ଏକ ଆଶ୍ବସ୍ତି ବି ମିଳିଥାଏ ।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଅଭ୍ୟାସ ପଛରେ ଏକ ନିର୍ଦ୍ଦିଷ୍ଟ ସାଇକଲ୍ ବା ଚକ୍ର କାମ କରେ।

ଏହି ଚକ୍ର ହେଲା:

  • ଟ୍ରିଗର (କାରଣ) – ଦୀର୍ଘ ସମୟ ବସି ରହିବା କିମ୍ବା ଚାପ ଅନୁଭବ କରିବା
  • ରୁଟିନ୍ ବା ଅଭ୍ୟାସ – ଆଙ୍ଗୁଠି କିମ୍ବା ବେକ ଫୁଟାଇବା
  • ରିଓ୍ବାର୍ଡ ବା ପୁରସ୍କାର – କିଛି ସେକେଣ୍ଡ ପାଇଁ ଆରାମ ମିଳିବା

ଏହି ପ୍ରକ୍ରିୟା ବାରମ୍ବାର ଘଟିଲେ ଏହା ଅଜାଣତରେ ଏକ ଅଭ୍ୟାସରେ ପରିଣତ ହୋଇଯାଏ। ମନୋବିଜ୍ଞାନରେ ଏହାକୁ ସୋମାଟାଇଜେସନ୍ (Somatization) କୁହାଯାଏ। ଅର୍ଥାତ୍, ମାନସିକ ଚାପ ଶରୀରର ବିଭିନ୍ନ ଅଂଶରେ ଦେଖାଯିବା । ଯେମିତିକି ମନ ଭଲ ନାହିଁ, ତ ଆମକୁ ଦୁର୍ବଳ କିମ୍ବା କ୍ଳାନ୍ ଅନୁଭବ ହୁଏ, କିଛି କରିବାକୁ ମନ ହୁଏ ନାହିଁ, କିନ୍ତୁ ସେହି ସମୟରେ ଯଦି ଆମେ କିଛି ଷ୍ଟ୍ରେଚିଂ କିମ୍ବା ଶରୀରକୁ ଦୋହଲାଇ ଦେଲା ଭଳି କାମ କରୁ, ସଙ୍ଗେ ସଙ୍ଗେ ଟିକେ ରିଲିଫ୍ ମିଳେ ।

ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଚାପ ବେକରେ, କାନ୍ଧରେ, ଜଙ୍ଘରେ, ହାତ ଓ ଆଙ୍ଗୁଠିରେ ଜମା ହୁଏ । ଏହି କାରଣରୁ ଶରୀର ସ୍ୱାଭାବିକ ଭାବେ ସେହି ଅଂଶକୁ ହଲାଇବା କିମ୍ବା ଫୁଟାଇବାକୁ ଚେଷ୍ଟା କରେ। ମନୋବିଜ୍ଞାନୀମାନଙ୍କ ମତରେ, ମସ୍ତିଷ୍କ ତୁରନ୍ତ ମିଳୁଥିବା ସନ୍ତୋଷକୁ ଭଲ ପାଏ। ଯେମିତି, ଆଙ୍ଗୁଠି ଫୁଟାଇଲେ, ଏକ ଶବ୍ଦ ଶୁଣାଯାଏ, ହାଲୁକା ଆରାମ ଅନୁଭବ ହୁଏ, ଶରୀରରେ ଏକ ପ୍ରତିକ୍ରିୟା ସୃଷ୍ଟି ହୁଏ…ଏହି ତିନୋଟି ଜିନିଷ ମିଶି ମସ୍ତିଷ୍କକୁ ଏକ ସକାରାତ୍ମକ ସଙ୍କେତ ଦିଏ। ଆଉ ଜାରି ରହିଥିବା କାମ ମଧ୍ୟରେ ଏହି ସବୁ ଅଭ୍ୟାସ ବି ଆମ ଶରୀର  ଏବଂ ମସ୍ତିସ୍କ ପାଇଁ ‘ମିନି ବ୍ରେକ୍’ ଭଳି କାମ କରେ ।  ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଏହି ଛୋଟ ଛୋଟ ବିରତି ମସ୍ତିଷ୍କକୁ ସତେଜ ରଖିଥାଏ।

ଯାହା ଫଳରେ ଅନେକ ଲୋକ କାମ କରୁଥିବା ସମୟରେ ଅଜାଣତରେ, ଶାରୀପିଟି ହେବା, କାମ ବନ୍ଦ କରି ଏଣେତେଣେ ଚାହିଁବା, ଆଙ୍ଗୁଠି ଫୁଟାଇବା, ବେକ ଷ୍ଟ୍ରେଚ୍ କରିବା ଭଳି ବ୍ରେକ୍ ସହ ନିଜକୁ ରିଲାକ୍ସ କରି ପୁଣି କାମକୁ ଫେରନ୍ତି । ଏହା ମସ୍ତିଷ୍କ ପାଇଁ ଏକ ଛୋଟ “ରିଫ୍ରେଶ ବ୍ରେକ୍” ଭଳି କାମ କରେ।

ଆହୁରି ମଧ୍ୟ ମନୋବିଜ୍ଞାନୀ ଆଲବର୍ଟ ବାଣ୍ଡୁରାଙ୍କ Social Learning Theory ଅନୁସାରେ, ମଣିଷ ଅନେକ ଅଭ୍ୟାସ ଅନ୍ୟମାନଙ୍କୁ ଦେଖି ଶିଖିଥାଏ। ଯାହାକୁ ବାରମ୍ବାର ଦେଖାଯାଏ, ତାହା ଧୀରେଧୀରେ ଅଭ୍ୟାସରେ ପରିଣତ ହୋଇଯାଏ। କିନ୍ତୁ କିଛି ଅଭ୍ୟାସ ଆମ ପାଇଁ ଆଗକୁ କ୍ଷତିକାରକ ପ୍ରମାଣିତ ହୋଇପାରେ ।

କିନ୍ତୁ ବିଶେଷଜ୍ଞଙ୍କ ମତରେ ସାଧାରଣ ଭାବେ ଆଙ୍ଗୁଠି ଫୁଟାଇବା କିସ ବେକ ଫୁଟାଇବା ଗୁରୁତର ସମସ୍ୟା ସୃଷ୍ଟି କରେ ନାହିଁ । ଆମେ ପିଲାଟି ବେଳରୁ ଶୁଣିଛେ, ବାରମ୍ବାର ଗୋଡ ହଲାଇବା, ଆଙ୍ଗୁଠି ଫୁଟାଇବା ଭଳି ଅଭ୍ୟାସ ଅଶୁଭ ଏବଂ ଖରାପ । କିନ୍ତୁ ମନୋବିଜ୍ଞାନ ଏ ସବୁକୁ ମିଥ୍ୟା ବୋଲି ପ୍ରମାଣ କରିଛି । ମନୋବିଜ୍ଞାନ କହୁଛି, ବାରମ୍ବାର ଆଙ୍ଗୁଠି କିମ୍ବା ବେକ ଫୁଟାଇବା ସବୁବେଳେ ଖରାପ ଅଭ୍ୟାସର ସଙ୍କେତ ନୁହେଁ। ଅନେକ କ୍ଷେତ୍ରରେ ଏହା ମନ ଓ ଶରୀରର ଚାପ କମାଇବାର ଏକ ଅଜାଣା ପ୍ରୟାସ ହୋଇପାରେ। ଯାହା ଆମ ଶରୀରକୁ ଆରାମ ପ୍ରଦାନ କରେ । କିନ୍ତୁ ହଁ, ଯଦି ଏହି ଅଭ୍ୟାସ ଅଧିକ ମାତ୍ରାରେ ହେଉଥାଏ, କିମ୍ବା ଏହା ତୁମ ଶରୀରକୁ ଯନ୍ତ୍ରଣା ଦେଉଥାଏ, ତେବେ ଡାକ୍ତରଙ୍କ ସହ ନିହାତି ପରାମର୍ଶ କରିବା ଜରୁରୀ ।

Leave A Reply

Your email address will not be published.