ବ୍ରହ୍ମପୁର: ପ୍ରମୁଖ ରାଜନେତା ଓ ଭିଭିଆଇପିଙ୍କ ନାଁ ବ୍ୟବହାର କରି ସାଧାରଣ ଲୋକଙ୍କୁ ଜାଲରେ ଫସାଉଥିବା ଜଣେ ଶାତିର ଠକକୁ ଗିରଫ କରିଛି ବ୍ରହ୍ମପୁର ଟାଉନ୍ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଗୋଳନ୍ଥରା ଥାନା ଅଞ୍ଚଳର ଜଗନ୍ନାଥ ମଣ୍ଡଳ। ନିଜକୁ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ବ୍ୟକ୍ତିଗତ ସହକାରୀ ବା ପିଏର ପରିଚୟ ଦେଇ ସେ ବ୍ରହ୍ମପୁରର ଦୁଇ ଯୁବକଙ୍କୁ ବ୍ଲାକମେଲ୍ କରିବା ସହ ଲକ୍ଷାଧିକ ଟଙ୍କା ଠକିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଜଗନ୍ନାଥ ବ୍ରହ୍ମପୁର ସହରର ଦୁଇଜଣ ଯୁବକଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ କଲ୍ କରିଥିଲା। ସେ ନିଜକୁ ହାଇପ୍ରୋଫାଇଲ୍ ରାଜନେତା ନିତିନ ନବୀନଙ୍କ ପିଏ ବୋଲି ପରିଚୟ ଦେଇ ସେମାନଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା। ଯୁବକ ଦ୍ୱୟଙ୍କୁ ବିଭିନ୍ନ ମିଛ କେସ୍ରେ ଫସାଇ ଜେଲ୍ ପଠାଇଦେବାକୁ ସେ ସିଧାସଳଖ ଧମକ ଦେଇଥିଲା। ଏହି ମାମଲାରୁ ବଞ୍ଚିବାକୁ ହେଲେ ତୁରନ୍ତ ୫୦ ହଜାର ଟଙ୍କା ଦେବାକୁ ସେ ଦାବି କରିଥିଲା।
ଜଗନ୍ନାଥ ମଣ୍ଡଳ ଜଣେ ପେଶାଦାର ଅପରାଧୀ। ଏହା ପୂର୍ବରୁ ମଧ୍ୟ ସେ ଅନେକ ବଡ଼ ବଡ଼ ରାଜନେତାଙ୍କ ନାଁ ବିଭିନ୍ନ ସମୟରେ ବ୍ୟବହାର କରି ଲୋକଙ୍କୁ ମିଛ କଲ୍ କରିବା ଏବଂ ଠକେଇ ମାମଲାରେ ପୋଲିସ ହାତରେ ଗିରଫ ହୋଇ ଜେଲ୍ ଯାଇଥିଲା।
