Latest Odisha News

BREAKING NEWS

ନିଟ୍‌ ପରୀକ୍ଷାରେ କଡ଼ା ନିୟମ: ଟ୍ରାଫିକ ଜାମ୍ ପାଇଁ ଡେରି, ଗେଟ୍ ବାହାରେ କାନ୍ଦିଲେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ବିବାଦ ଘେରରେ ଥିବା ନିଟ୍‌-ୟୁଜି ପରୀକ୍ଷା ପାଇଁ ଆଜି ଜାତୀୟ ପରୀକ୍ଷା ସଂସ୍ଥା ପକ୍ଷରୁ ପୁନଃ ପରୀକ୍ଷା ଆୟୋଜନ କରାଯାଇଛି। ମାତ୍ର କଡ଼ା ନିୟମ ଓ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଅନେକ ସ୍ଥାନରେ ପରୀକ୍ଷାର୍ଥୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

 

ବିଶେଷ କରି ମୁମ୍ବାଇ ଏବଂ ବେଙ୍ଗାଲୁରୁ ଭଳି ମେଟ୍ରୋ ସହରରେ ପ୍ରବଳ ଟ୍ରାଫିକ୍ ଜାମ୍ ଯୋଗୁଁ ମାତ୍ର କେଇ ମିନିଟ୍ ବିଳମ୍ବରେ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ। ଗେଟ୍ ସମ୍ମୁଖରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ କାନ୍ଦି କାନ୍ଦି ନେହୁରା ହୋଇଥିଲେ ମଧ୍ୟ ପ୍ରଶାସନ ନିଜ ଜିଦ୍‌ରେ ଅଟଳ ରହିଥିବା ଦେଖିବାକୁ ମିଳିଛି।

 

ପୂର୍ବରୁ ଗ୍ରେସ୍ ମାର୍କ ପାଇଥିବା ମୋଟ ୧,୫୬୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପରୀକ୍ଷା କରାଯାଉଛି। ଏଥିପାଇଁ ସାରା ଦେଶରେ ୭ଟି ସ୍ୱତନ୍ତ୍ର କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ପେପର ଲିକ୍ ଭୟରେ ଏଥର ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଇଥିଲା। ପରୀକ୍ଷା କେନ୍ଦ୍ର ଭିତରକୁ ପେନ୍, ପେନସିଲ୍, ପାଣି ବୋତଲ କିମ୍ବା କୌଣସି ପ୍ରକାରର ଗହଣା ପିନ୍ଧି ଯିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ପ୍ରତିଟି ଛାତ୍ରଛାତ୍ରୀଙ୍କୁ ବାୟୋମେଟ୍ରିକ୍ ଯାଞ୍ଚ ଏବଂ ତିନି ଥାକିଆ ମେଟାଲ୍ ଡିଟେକ୍ଟର ଦେଇ ଯିବାକୁ ପଡ଼ିଥିଲା।

 

ଜଣେ ପରୀକ୍ଷାର୍ଥୀ ହଲ ଭିତରେ ପ୍ରବେଶ କରିନପାରି କାନ୍ଦି କାନ୍ଦି କହିଛନ୍ତି, “ଆମେ ଟ୍ରାଫିକ୍ ଜାମ୍‌ରେ ଫସିଯାଇଥିଲୁ। ମାତ୍ର ୫ ମିନିଟ୍ ବିଳମ୍ବ ହେବାରୁ ସେମାନେ ଗେଟ୍ ବନ୍ଦ କରିଦେଲେ। ଆମର ପୂରା ଗୋଟିଏ ବର୍ଷର ପରିଶ୍ରମ ଓ ଭବିଷ୍ୟତ ନଷ୍ଟ ହୋଇଗଲା।”

 

ବେଙ୍ଗାଲୁରୁର ଏକ ପରୀକ୍ଷା କେନ୍ଦ୍ର ବାହାରେ କିଛି ସମୟ ପାଇଁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ ସମୟ ଶେଷ ହେବା ମାତ୍ରେ ସୁରକ୍ଷାକର୍ମୀମାନେ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଏହାପରେ ଆସିଥିବା ଛାତ୍ରଛାତ୍ରୀମାନେ ଭିତରକୁ ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏନଟିଏର ଗାଇଡ୍‌ଲାଇନ୍‌ ଦର୍ଶାଇ ସେମାନଙ୍କୁ ସିଧାସଳଖ ମନା କରିଦିଆଯାଇଥିଲା।

 

ସୂଚନାଯୋଗ୍ୟ ଯେ, ଯେଉଁ ପରୀକ୍ଷାର୍ଥୀମାନେ ଆଜିର ଏହି ପରୀକ୍ଷାରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ବଞ୍ଚିତ ହୋଇଛନ୍ତି, ସେମାନଙ୍କର ପୂର୍ବ ନିଟ୍ ପରୀକ୍ଷାର ସ୍କୋରକୁ ହିଁ ଚୂଡ଼ାନ୍ତ ବୋଲି ଧରାଯିବ। ପରୀକ୍ଷା ଶେଷ ହେବା ପରେ ଏନଟିଏ ପକ୍ଷରୁ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଏହାର ଫଳାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିପାଇଁ କାଉନସେଲିଂ ପ୍ରକ୍ରିୟା ମଧ୍ୟ ଜୁଲାଇ ମାସରୁ ସ୍ୱାଭାବିକ ଭାବେ ଆରମ୍ଭ ହୋଇପାରିବ।

Leave A Reply

Your email address will not be published.