ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ବତନ ପୋଲିସ ଏଏସଆଇ ପ୍ରଭାକର ପଣ୍ଡା ଓ ତାଙ୍କ ପତ୍ନୀ ପୂର୍ବତନ ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ହୋଇଛି । ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଏହି ମାମଲା ଶୁଣାଇଛନ୍ତି ।
ଆୟ ବହିର୍ଭୂତ ସମ୍ପତ୍ତି ଠାବ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ପିସି ଆକ୍ଟ, ୧୯୮୮ ର ଧାରା ୧୩(୨) ସହ ପଠିତ ୧୩(୧)(ଇ) ଅନୁଯାୟୀ ଉଭୟଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ କୋର୍ଟ ନିଜର ରାୟ ଶୁଣାଇଛନ୍ତି ।
ଉଭୟ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ୧ ବର୍ଷର ସଶ୍ରମ କାରାଦଣ୍ଡ ସହିତ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ, ଉଭୟ ଦୋଷୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ଆୟ ବହିର୍ଭୂତ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
