Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ଶ୍ରୀନଗର ସରଲା ଭଟ୍ଟ: ୩୫ ବର୍ଷ ପରେ ୟାସିନ୍ ବିରୋଧରେ ଚାର୍ଜସିଟ୍ ଦାଖଲ

ଶ୍ରୀନଗର: କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରାରମ୍ଭିକ ଦିନର ସବୁଠାରୁ ଜଘନ୍ୟ ଅପରାଧ ମଧ୍ୟରୁ ଗୋଟିଏ ହେଉଛି କାଶ୍ମୀରୀ ହିନ୍ଦୁ ନର୍ସ ସରଲା ଭଟ୍ଟଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ଆତଙ୍କ ସମୟରେ କାଶ୍ମୀରୀ ପଣ୍ଡିତଙ୍କ ନରସଂହାର ବେଳେ ସରଲା ଭଟ୍ଟଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ୩୫ ବର୍ଷ ପରେ ଏବେ ଜମ୍ମୁ-କାଶ୍ମୀରର ଷ୍ଟେଟ୍‌ ଇନଭେଷ୍ଟିଗେସନ ଏଜେନ୍ସି ଏହି କେସରେ ୭୩୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଏହି ନୃଂଶସ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ମଧ୍ୟରେ ଜେକେଏଲଏଫ୍ ଚିଫ୍‌ ୟାସିନ ମଲିକ ମଧ୍ୟ ଅଭିଯୁକ୍ତ। ମଲିକ ଏବେ ଦ୍ୱିତୀୟ ମାମଲାରେ ନ୍ୟାୟିକ ହେପାଜତରେ ଅଛି, ଆଉ ଚାରି ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇ ସାରିଛି।

୩୫ ବର୍ଷ ପରେ ଏବେ ଏହି ମାମଲାର ତଦନ୍ତ ପୁଣି ଆରମ୍ଭ ହୋଇଛି। ସୂଚନା ଅନୁସାରେ ୧୯୯୦ ମସିହାରେ ଜେକେଏଲଏଫ୍ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ୍‌ କରିବାର ବଡ଼ ଆତଙ୍କୀ ଅଭିଯାନ ଚଳେଇ ଥିଲା। ଜେକେଏଲଏଫର ଆତଙ୍କବାଦୀ ମାନେ ୧୮ ଅପ୍ରେଲ ୧୯୯୦ ରେ ଶେର-ଏ-କାଶ୍ମୀର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇସେନ୍ସ ନିକଟରେ ସରଲା ଭଟ୍ଟଙ୍କୁ ଅପହରଣ କରିଥିଲେ। ଏହାପରେ ତାଙ୍କ ସହ ଏମିତି ଅମାନୁଷିକକାଣ୍ଡ କରି ଥିଲେ। ଯାହାକୁ ଆଜି ବି କାଶ୍ମୀରରେ ବ୍ୟାପି ଥିବା ଆତଙ୍କବାଦ କଳା ଅଧ୍ୟାୟର ଅଂଶ ଭାବେ ମନେକରାଯାଏ। ସରଲା ଭଟ୍ଟଙ୍କ ସହ ରେପ୍ ଓ ମାରପିଟି କରାଯାଇ ଥିଲା। ପରେ ତାଙ୍କୁ ଶ୍ରୀନଗରର ଉମର କଲୋନି, ମାଲବାଗରେ ଗୁଳି କରାଯାଇ ଥିଲା। ଏହାପର ଠାରୁ ଦୁଇ ଦଶକ ଯାଏ ଜମ୍ମୁ-କାଶ୍ମୀରରେ ଆତଙ୍କବାଦର ତାଣ୍ଡବ ଚାଲିଲା ଏବଂ ସରଲା ଭଟ୍ଟ ହତ୍ୟାକାଣ୍ଡର ଯାଞ୍ଚ ଫାଇଲ ଗୁଡ଼ିକରେ ଅଟକି ରହିଲା। ଆତଙ୍କବାଦୀଙ୍କ ଭୟରେ ଅନ୍ୟ ବଡ଼ ବଡ଼ ଘଟଣା ପରି ଏହି କେସରେ ମଧ୍ୟ ସାକ୍ଷୀମାନେ ନିରବ ରହିଲେ।

କାଶ୍ମୀରରେ ସ୍ଥିତି ସାଧାରଣ ହେବା ପରେ ଇନଭେଷ୍ଟିଗେସନ ଏଜେନ୍ସି (ଏସଆଇଏ) ସରଲା ଭଟ୍ଟ ରେପ୍-ମର୍ଡର କେସର ଫାଇଲ ପୁଣି ଖୋଲିଲା। ୧୮ ମାର୍ଚ୍ଚ, ୨୦୨୪ରେ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ତଦନ୍ତକୁ ସ୍ୱତନ୍ତ୍ର ତଦନ୍ତ ଦଳ (SIA)କୁ ହସ୍ତାନ୍ତର କରାଯାଇଥିଲା। ଏଜେନ୍ସି ସୁରକ୍ଷିତ ସାକ୍ଷୀଙ୍କ ବୟାନ, ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ, ଫୋରେନସିକ୍ ଏବଂ ବାଲିଷ୍ଟିକ୍ ବିଶ୍ଳେଷଣ, ଡାକ୍ତରୀ ପ୍ରମାଣ, ଡକ୍ୟୁମେଣ୍ଟାରୀ ରେକର୍ଡ, ଇଲେକ୍ଟ୍ରୋନିକ୍ ପ୍ରମାଣ ଏବଂ ଏକ ବ୍ୟାପକ କ୍ଷେତ୍ର ତଦନ୍ତ ଆଧାରରେ ଘଟଣାଗୁଡ଼ିକର ପୁନର୍ଗଠନ କରିଥିଲା। ଏହା ଉପରେ ଆଧାର କରି, ୭୩୭ ପୃଷ୍ଠାର ଏକ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଥିଲା। ଯାଞ୍ଚ ଟିମ୍‌ ତିନି ଦଶନ୍ଧି ଧରି ମଳିନ ପଡ଼ିଥିବା ପ୍ରମାଣକୁ ଫରେନ୍ସିକ ଯାଞ୍ଚ ମାଧ୍ୟମରେ ପୁଣି ଥରେ ଜମା କଲା। ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରାଗଲା। ଇଲେକ୍ଟ୍ରନିକ ପ୍ରମାଣ ଓ ଗ୍ରାଉଣ୍ଡରେ ତଦନ୍ତ ବ୍ୟତୀତ ମେଡିକାଲ ପ୍ରମାଣ ଗୁଡ଼ିକ ଅତି ସୂକ୍ଷ୍ମ ବିଶ୍ଳେଷଣ କରାଗଲା।

ଚାର୍ଜସିଟରେ ଜେକେଏଲଏଫର ତତ୍କାଳୀନ କମାଣ୍ଡର ମହମ୍ମଦ ୟାସିନ ମଲିକ, ଖୁର୍ଶିଦ ଅହମଦ ଚାଳକୁ , ଅବଦୁଲ ହାମିଦ ଶେଖ , ମହମ୍ମଦ ୟୁସୁଫ ସୁଫି ଓରଫ ଇଦରିସ ଓ ଗୁଲାମ ମହମ୍ମଦ ଟପଲୁଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ତଦନ୍ତରେ ସରଲା ଭଟ୍ଟଙ୍କ ଅପହରଣ ଓ ହତ୍ୟା କରିବାରେ ସେମାନଙ୍କ ଭୂମିକା ବିଷୟରେ ଜଣା ପଡ଼ିଲା। ୩୫ ବର୍ଷ ମଧ୍ୟରେ ଅବଦୁଲ ହାମିଲ ଶେଖ , ମହମ୍ମଦ ୟୁସୁଫ ସୁଫି ଓରଫ ଇଦରିସ ଓ ଗୁଲାମ ମହମ୍ମଦ ଟପୁଲଙ୍କ ମୃତ୍ୟୁ ହୋଇ ସାରିଛି। ମହମ୍ମଦ ୟାସିନ ମଲିକ ଏବେ ଏନଆଇଏର ହେପାଜତରେ ଅଛି।

Leave A Reply

Your email address will not be published.