ଭୁବନେଶ୍ୱର: ଜେଲ ଭିତରେ ଟେନସନ ବଢ଼ାଇଛନ୍ତି HIV ସଂକ୍ରମିତ। ଭୁବନେଶ୍ବର ଝାରପଡ଼ା ଜେଲରେ ବଢୁଛି ଏଚଆଇଭି ପଜିଟିଭ ସଂଖ୍ୟା। କିଛିଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ HIV ଆକ୍ରାନ୍ତ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ନିକଟରେ ଏକ ପୋକ୍ସୋ ମାମଲାରେ ଗିରଫ ହୋଇ ଜେଲକୁ ଆସିଥିବା ଜଣେ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେ HIV ପଜିଟିଭ ଥିବା ଜଣାପଡ଼ିଥିଲା । ଏହାପରେ ଜେଲରେ ଥିବା ଅନ୍ୟାନ୍ୟ କଏଦୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶାସନ ସକ୍ରିୟ ହୋଇଛି ।
ଏହି ପ୍ରସଙ୍ଗରେ ଝାରପଡ଼ା ଜେଲର ସୁପରିଣ୍ଟେଣ୍ଡେଣ୍ଟ ସମ୍ପୃକ୍ତ କୋର୍ଟ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଜେଲ ଭିତରେ ସଂକ୍ରମଣ ନିୟନ୍ତ୍ରଣ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ସୁବିଧାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ, HIV ସାଧାରଣ ସଂସ୍ପର୍ଶ, ଏକାଠି ରହିବା, ଖାଇବା କିମ୍ବା ହାତ ମିଳାଇବା ଦ୍ୱାରା ବ୍ୟାପେ ନାହିଁ । ତେଣୁ ସଚେତନତା, ସଠିକ୍ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଚିକିତ୍ସା ମାଧ୍ୟମରେ ଏହାର ପରିଚାଳନା ସମ୍ଭବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ।
