ଭୁବନେଶ୍ୱର: ଜୁଲାଇ ୪ ତାରିଖରେ ହେବାକୁ ଥିବା କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଅଚାନକ ବାତିଲ ହୋଇଛି। ବହୁ ପ୍ରତୀକ୍ଷିତ ଏହି ଗସ୍ତ ସମୟରେ ଶାହ ବରଗଡ଼ ଓ ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ତେବେ ଅନିବାର୍ଯ୍ୟ କାରଣବଶତଃ ତାଙ୍କର ଏହି ଗସ୍ତ ଏବେ ବାତିଲ ହୋଇଥିବା ନେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସ୍ପଷ୍ଟ ସୂଚନା ଦେଇଛନ୍ତି। ଏହାସହ ବରଗଡ଼ରେ ହେବାକୁ ଥିବା ଦେଶର ପ୍ରଥମ ଇଣ୍ଟିଗ୍ରେଟେଡ୍ ବାୟୋ-ଇଥାନଲ୍ ପ୍ଲାଣ୍ଟର ଉଦଘାଟନୀ ଉତ୍ସବ ମଧ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶାହ ଜୁଲାଇ ୪ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ବରଗଡ଼ ଜିଲ୍ଲାର ବାଉଲସିଂହା ଅଭିମୁଖେ ଯାଇଥାନ୍ତେ। ସେଠାରେ ୧୭୭୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ର ଏକ ବିଶାଳ ‘୧ଜି-୨ଜି ବାୟୋ-ଇଥାନଲ୍ ରିଫାଇନାରୀ’କୁ ସେ ଉଦଘାଟନ କରି ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତେ। ଏହାପରେ ପଡ଼ୋଶୀ ସମ୍ବଲପୁର ଜିଲ୍ଲାକୁ ଯାଇ ଏକ ବିଶାଳ ସାଧାରଣ ସଭାରେ ଉଦବୋଧନ ଦେବା ସହ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ସେହିପରି ଜୁଲାଇ ୫ ତାରିଖରେ ସେ କଟକ ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ଦିଲ୍ଲୀ ଫେରିଯିବାର ଥିଲା।
ଗୃହମନ୍ତ୍ରୀଙ୍କ ଗସ୍ତକୁ ନେଇ ଉଭୟ ପ୍ରଶାସନ ଓ ବିଜେପି ରାଜ୍ୟ ଶାଖା ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ତେବେ କେଉଁ କାରଣରୁ ହଠାତ୍ ଗସ୍ତ ବାତିଲ ହେଲା, ସେ ନେଇ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ। ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ନୂଆ ଗସ୍ତ ତାରିଖ ଘୋଷଣା କରାଯିବ।
ସୂଚନାଯୋଗ୍ୟ ଯେ, ବରଗଡ଼ରେ ପ୍ରତିଷ୍ଠା ହୋଇଥିବା ଏହି ଇଥାନଲ୍ ପ୍ଲାଣ୍ଟ ଉଭୟ କୃଷି ଓ ଶିଳ୍ପ ବିକାଶ କ୍ଷେତ୍ରରେ ପଶ୍ଚିମ ଓଡ଼ିଶା ପାଇଁ ଏକ ବଡ଼ ଉପଲବ୍ଧି। ଉଦବୃତ୍ତ ଖାଦ୍ୟଶସ୍ୟ ଏବଂ ଚାଷ ଜମିରେ ରହିଯାଉଥିବା ଧାନ ନଡ଼ା ଆଦି କୃଷି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ଏଠାରେ ଦୈନିକ ୨ ଲକ୍ଷ ଲିଟର ଇଥାନଲ୍ ଉତ୍ପାଦନ କରାଯିବ। ପ୍ରକଳ୍ପଟି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେଲେ ପରିବେଶ ପ୍ରଦୂଷଣ ହ୍ରାସ ପାଇବା ସହ ସ୍ଥାନୀୟ କୃଷକମାନଙ୍କ ଆୟ ବୃଦ୍ଧି ହେବ ଏବଂ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏବେ ଶ୍ରୀ ଶାହଙ୍କ ନୂଆ ଗସ୍ତ ତାରିଖକୁ ଅପେକ୍ଷା କରାଯାଇଛି।