ଭୁବନେଶ୍ୱର: ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା (କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬) ରେଜଲ୍ଟ । ଛାତ୍ରଛାତ୍ରୀମାନେ ନିଜ ନିଜର ପରୀକ୍ଷାଫଳ ସାମ୍ସ ପୋର୍ଟାଲକୁ ଯାଇ ଦେଖିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ଅନୁଷ୍ଠିତ ହୋଇଥିଲା । ଏହି ପ୍ରବେଶିକା ପରୀକ୍ଷା ପାଇଁ ୫୮,୬୧୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ୫୩,୯୦୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସର୍ବମୋଟ୍ ୫୦ଟି ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ୧୩୨ଟି ଉଚ୍ଚଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ୩୨,୩୦୯ଟି ସିଟ୍ ରହିଛି । ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ଆଧାରରେ କରାଯିବ । ଆଡ଼ମିଶନର ସମୟସୂଚୀ ଖୁବଶୀଘ୍ର ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।