ଭୁବନେଶ୍ବର: ଗରିବର ପଖାଳ, କୋଟିର ଖର୍ଚ୍ଚ!
ସାଧାରଣ ପଖାଳ ଖିଆରେ ୨ କୋଟି ଖର୍ଚ୍ଚ ନେଇ ବିବାଦ!
ପଖାଳ…ଏହି ନାଁ ଶୁଣିଲେ ଓଡ଼ିଆଙ୍କ ମନକୁ ଆସିଯାଏ ମାଆର ହାତର ସ୍ୱାଦ, ଖରାଦିନର ଶାନ୍ତି ଆଉ ମାଟିର ବାସ୍ନା। କିନ୍ତୁ ସେହି ପଖାଳ ଏବେ ସ୍ୱାଦ ପାଇଁ ନୁହେଁ, ବରଂ କୋଟି କୋଟି ଟଙ୍କାର ବିଲ୍ ପାଇଁ ଚର୍ଚ୍ଚାରେ। ସାଧାରଣ ପଖାଳ ଖିଆରେ ଦେଢ଼ରୁ ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଲ୍ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ତୀବ୍ର ବିତର୍କ। କାରଣ, ପଖାଳ ଦିବସ ପାଳନ ପାଇଁ ମୋହନ ସରକାର ଖର୍ଚ୍ଚ କରିଛନ୍ତି ଦେଢ଼ରୁ ଦୁଇ କୋଟି ଟଙ୍କା, ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ଚଳିତ ବର୍ଷ ମାର୍ଚ୍ଚ ୨୦ରେ ପାଳିତ ପଖାଳ ଦିବସ ପାଇଁ ଏହି ଖର୍ଚ୍ଚ ହୋଇଥିବା କୁହାଯାଉଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ବିଲ୍ରେ, ପଖାଳ ଦିବସ ଆୟୋଜନ ପ୍ରାୟ ୧.୫ କୋଟିରୁ ୨ କୋଟି ଟଙ୍କା ଖର୍ଚ୍ଚର ଉଲ୍ଲେଖ ରହିଛି। ବିଲ୍ଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସାଧାରଣ ଲୋକଙ୍କ ଖାଦ୍ୟ ଭାବେ ପରିଚିତ ପଖାଳ ପାଇଁ ଏତେ ବଡ଼ ଅର୍ଥ ଖର୍ଚ୍ଚ କରିବା କେତେଦୂର ଯୁକ୍ତିଯୁକ୍ତ? ଲୋକଙ୍କ ଟଙ୍କାରେ ଏଭଳି ଆଡ଼ମ୍ବରପୂର୍ଣ୍ଣ ଉତ୍ସବ କାହିଁକି? ବୋଲି ପ୍ରଶ୍ନ ଉଠିଛି, ନା ପଖାଳ ଆଡରେ ଖାଲି ଟଙ୍କା ଆତ୍ମସାତ୍ ପାଇଁ ଏହା ଏକ ବାହାନା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସାଧାରଣରେ ମଧ୍ୟ ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି।
ଏପଟେ ଘଟଣାକୁ ନେଇ OTDC ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ବେଳେ ଗଣମାଧ୍ୟମ ଆଗରେ ସରକାରଙ୍କ ପକ୍ଷ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ ପରିଡ଼ା କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ଥିଲା ପଖାଳ ଓ ଓଡ଼ିଆ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା। ତେଣୁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଏବଂ ଆନ୍ତର୍ଜାତିକ ସ୍ତରରେ ପଖାଳକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ବଡ଼ ଆୟୋଜନ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, “ପଖାଳକୁ ଗରିବ ଲୋକଙ୍କ ଖାଦ୍ୟ ବୋଲି କୁହାଯାଏ। କିନ୍ତୁ ଯେତେବେଳେ ଏହାକୁ ବିଶ୍ୱସ୍ତରରେ ନେବାକୁ ହେବ, ବିଦେଶରେ ପ୍ରଦର୍ଶନ କରିବାକୁ ହେବ, ସେତେବେଳେ ଆନ୍ତର୍ଜାତିକ ମାନର ଆୟୋଜନ ଆବଶ୍ୟକ।” ମନ୍ତ୍ରୀ ଆହୁରି କହିଛନ୍ତି, ସରକାର ଚାହୁଁଛନ୍ତି ଓଡ଼ିଶାର ପାରମ୍ପରିକ ବ୍ୟଞ୍ଜନଗୁଡ଼ିକ ଫାଇଭ୍ ଷ୍ଟାର୍ ହୋଟେଲ୍ର ମେନୁରେ ସ୍ଥାନ ପାଉ। ପଖାଳ କେବଳ ସାଧାରଣ ଓଡ଼ିଆଙ୍କ ଘରେ ସୀମିତ ନରହି, ବରଂ ଦେଶ-ବିଦେଶର ଲୋକ, ସେଲିବ୍ରିଟି ଓ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହାର ସ୍ୱାଦ ନିଅନ୍ତୁ ବୋଲି ସରକାର ଚାହୁଁଛନ୍ତି।
ତେବେ ସରକାରଙ୍କ ଏହି ଯୁକ୍ତି ସତ୍ତ୍ୱେ ବିବାଦ ଥମିନି । ପଖାଳକୁ ବିଶ୍ୱ ଦରବାରରେ ପହଞ୍ଚାଇବା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା କ’ଣ ସତରେ ଜରୁରୀ ଥିଲା କି? ଏହା ଓଡିଆଙ୍କ ବାସ୍ତବିକ ଭାବନା ସହିତ ଜଡିତ ନା ସରକାରଙ୍କ କେବଳ ବାହାନା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
ତେବେ ଓଡ଼ିଆଙ୍କ ଭାବନା ସହ ଜଡ଼ିତ ପଖାଳକୁ ବିଶ୍ୱସ୍ତରରେ ପରିଚିତ କରିବାର ପ୍ରୟାସକୁ କେହି କେହି ସ୍ୱାଗତ କରୁଥିବା ବେଳେ, ଅନ୍ୟପଟେ ଏହାର ଅତ୍ୟଧିକ ଖର୍ଚ୍ଚ ଅନାବଶ୍ୟକ ବୋଲି ଅନେକ ମତ ରଖିଛନ୍ତି ।