କଟକ: ଓଡ଼ିଶା ହାଇକୋର୍ଟର ଆସିଷ୍ଟାଣ୍ଟ୍ ସେକ୍ସନ ଅଫିସର୍ (ଏଏସ୍ଓ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲା । ଗିରଫ ହୋଇଥିବା ସମସ୍ତ ୧୪ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ରାୟ । ଆବେଦନକାରୀଙ୍କୁ ଲିଖିତ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ତେବେ ୨୦୨୫ରେ ଏଏସ୍ଓ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା । ଏହା ପରେ ହାଇକୋର୍ଟ ସେହି ପରୀକ୍ଷାକୁ ବାତିଲ କରିଦେଇଥିଲେ । ପରେ ପୁଣିଥରେ ଖ୍ୟ ଲିଖିତ ପରୀକ୍ଷା କରାଯାଇ ଫଳାଫଳ ପ୍ରକାଶ ପାଇଥିଲା ।
ହେଲେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଏକ ଆଉଟସୋର୍ସିଂ ଏଜେନ୍ସିର କାର୍ଯ୍ୟକଳାପରେ ତ୍ରୁଟି ଏବଂ ଅନିୟମିତତା ଜଣାପଡ଼ିବା ପରେ କଟକର ଲାଲବାଗ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହା ପରେ ଯୋରଦାର ତଦନ୍ତ ଆରମ୍ଭ ହୋଇଥିଲା ।
ପରେ ତଦନ୍ତରୁ ଜଣାପଡିଥିଲା ଯେ, କେତେକ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀ ମଡେଲ ଉତ୍ତରକୁ ନକଲ କରି ଅସ୍ୱାଭାବିକ ଭାବେ ଅଧିକ ମାର୍କ ରଖିଛନ୍ତି । ଏଥିସହିତ ଫୋନ୍ ରେକର୍ଡରୁ ଆଉଟ୍ସୋର୍ସିଂ ଏଜେନ୍ସିର ଅଧିକାରୀ, ଦଲାଲ୍ ଏବଂ କେତେକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସନ୍ଦେହଜନକ ଯୋଗାଯୋଗ ଥିବା ପ୍ରମାଣ ମିଳିଥିଲା । ପୁଲିସ ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରିଥିଲା ।