ନୂଆଦିଲ୍ଲୀ: ନକ ଆଉଟ ପର୍ଯ୍ୟାୟ ଆରମ୍ଭ ହେବା ପରେ ଫିଫା ବିଶ୍ୱକପ ୨୦୨୬ର ରୋମାଂଚ ଏବେ ଦ୍ୱିଗୁଣ ହୋଇଛି । ଏହା ମଧ୍ୟରେ ଗୋଲ୍ଡେନ ବୁଟ ନେଇ ମଧ୍ୟ ପ୍ରତିଦ୍ୱନ୍ଦିତା ତୀବ୍ର ହୋଇଛି । ଗତ ବିଶ୍ୱକପ ପରି ଏଥର ମଧ୍ୟ ଆର୍ଜେଂଟିନାର ଲିଓନେଲ ମେସୀ ଓ ଫ୍ରାନ୍ସରଯ କିିଲିୟାନ ଏମ୍ବାପେଙ୍କ ମଧ୍ୟରେ ଏ ନେଇ ମୁକାବିଲା ଲାଗି ରହିଛି । ଉଭୟ ଏବେ ୭-୭ ଗୋଲ ସହ ସମାନ ସ୍ଥିତିରେ ରହିଛନ୍ତି । ମେସୀ ଗୋଟିଏ ମ୍ୟାଚ କମ ଖେଳିଥିବା ବେଳେ ଏମ୍ବାପେ ଗୋଲ ଆସିଷ୍ଟରେ ତାଙ୍କଠାରୁ ଆଗରେ ରହିଛନ୍ତି । ସେ ୨ଟି ଗୋଲରେ ଆସିଷ୍ଟ କରିଥିବା ବେଳେ ମେସୀ ଗୋଟିଏ ବି ଗୋଲରେ ଆସିଷ୍ଟ କରି ନାହାନ୍ତି ।
ଇଂଲଣ୍ଡର ଅଧିନାୟକ ହ୍ୟାରୀ କେନ ଓ ନରୱେର ଷ୍ଟ୍ରାଇକର ଅର୍ଲିଙ୍ଗ ହୋଲାଣ୍ଡ ୫ ଲେଖାଏଁ ଗୋଲ କରିଛନ୍ତି । ଏମାନଙ୍କ ଟିମ ଏବେ ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳିବେ । ଗତ ସଂସ୍କରଣରେ ମେସୀଙ୍କୁ ପଛରେ ପକାଇ ଏମ୍ବାପେ ଅଧିକ ଗୋଲ କରିବା ସହ ଗୋଲ୍ଡେନ ବୁଟ ହାସଲ କରିଥିଲେ । ଏଥର କିଏ ଏହି ସଫଳତା ହାସଲ କରିବ ସେଥିପ୍ରତି ସମସ୍ତ ଫୁଟବଲପ୍ରେମୀଙ୍କ ନଜର ରହିଛି । ଆର୍ଜେଂଟିନା ରାଉଣ୍ଡ ଅଫ ୧୬ରେ ଇଜିପ୍ଟକୁ ଏବଂ ମରକ୍କୋକୁ ଫ୍ରାନ୍ସ ଭେଟିବ ।