Latest Odisha News

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରୁ କୋରାପୁଟକୁ ଗଡିଲା ନୂଆ ଟ୍ରେନ୍

ପୁରୀ: ଶ୍ରୀକ୍ଷେତ୍ର ସହ ଯୋଡ଼ି ହେଲା ଶାବର ଶ୍ରୀକ୍ଷେତ୍ର । ପୂର୍ବରୁ ଶାବର ଶ୍ରୀକ୍ଷେତ୍ର ବା କୋରାପୁଟକୁ ଭୁବନେଶ୍ବରରୁ ଗୋଟିଏ ଟ୍ରେନ୍ ଚଳାଚଳ କରୁଥିବାବେଳେ, ଏବେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀରୁ କୋରାପୁଟକୁ ଗଡିଛି ନୂଆ ଟ୍ରେନ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସୂଚନା ଦେଇ କେନ୍ଦ୍ର ରେଳ ମନ୍ତ୍ରୀ କହିଥିଲେ ରେଳ ବିଭାଗ ଉପକୂଳ ଓଡ଼ିଶାରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ଯୋଡ଼ିବ । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାକୁ ଟ୍ରେନ୍ ଚଳାଚଳ କରିବ । ଓଡ଼ିଶାର ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୯୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପୁରୀ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ ହୋଇଛି । ରାଜ୍ୟରେ ୫୦ଟି ଷ୍ଟେସନର ପୁନଃନିର୍ମାଣ ଓ ନବୀକରଣ କରାଯାଉଛି ।

କେନ୍ଦ୍ର ରେଳ ମନ୍ତ୍ରୀ ପୁରୀ ରେଳ ଷ୍ଟେସନ ସହ ନବୀକରଣ ଓ ପୁନଃ ନିର୍ମିତ ହେବାକୁ ଥିବା ରାଜ୍ୟର ପ୍ରମୁଖ ଷ୍ଟେସନ୍ ଗୁଡିକର ଫଟୋ ଚିତ୍ର ଦେଖାଇଥିଲେ । ଓଡ଼ିଶାରେ ଅଧିକ ରେଳ ଲାଇନ୍ କରାଯାଉଛି ।ଏହା ଫଳରେ ଓଡ଼ିଶାର ରେଳ ମ୍ୟାପ୍ ସଂପୂର୍ଣ୍ଣ ପରିବର୍ତ୍ତିତ ହେବ । ମୁଖ୍ୟମନ୍ତ୍ରୀ ଉତ୍ତର ଓଡ଼ିଶାକୁ ଯୋଗାଯୋଗ କରିବା ପାଇଁ ଏକ ଟ୍ରେନ୍ ଚଳାଚଳ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ରେଳ ମନ୍ତ୍ରୀ ତୁରନ୍ତ ଏହି ପ୍ରସ୍ତାବ ଗ୍ରହଣ କରି ଉତ୍ତର ଓଡ଼ିଶାକୁ ମଧ୍ୟ ଖୁବ୍ ଶୀଘ୍ର ରେଳ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମିଳିତ ଭାବେ ପୁରୀ-କୋରାପୁଟ ଏକ୍ସପ୍ରେସର ଉଦଘାଟନ କରିବା ସହ ବ୍ରହ୍ମପୁର-ସୁରଟ (ଉଧନା) ଅମୃତ ଭାରତ ଏକ୍ସପ୍ରେସର ଦୈନିକ ଚଳାଚଳର ଶୁଭାରମ୍ଭ କରିବେ ।

ପୁରୀ-କୋରାପୁଟ ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଅନୁଗୋଳ, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ରାୟଗଡ଼ା ଓ ଦାମନଯୋଡ଼ି ଦେଇ କୋରାପୁଟକୁ ସଂଯୋଗ କରିବ । ଏହି ନୂତନ ରେଳ ସେବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଓ ରୋଗୀମାନଙ୍କ ପାଇଁ ବେଶ୍ ଉପକାରୀ ହେବ ବୋଲି ଆଶା କରାଯାଉଛି ।

ସେହିପରି ବ୍ରହ୍ମପୁର-ସୁରଟ ଅମୃତ ଭାରତ ଏକ୍ସପ୍ରେସ, ଯାହା ଏପର୍ଯ୍ୟନ୍ତ ସପ୍ତାହରେ ୩ ଦିନ ଚଳାଚଳ କରୁଥିଲା, ଏବେ ପ୍ରତିଦିନ ଚାଲିବ । ଏହା ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଯାତାୟାତକୁ ଆହୁରି ସୁଗମ କରିବା ସହ ଶ୍ରମିକ, ଛାତ୍ରଛାତ୍ରୀ ଓ ବ୍ୟବସାୟୀମାନଙ୍କ ପାଇଁ ବିଶେଷ ସହାୟକ ହେବ । ପୁରୀ-କୋରାପୁଟ ଏକ୍ସପ୍ରେସ ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯାତ୍ରା କରିଥିଲେ ।

Leave A Reply

Your email address will not be published.