ନୂଆଦିଲ୍ଲୀ: ଚାକିରି ଖାଇବା ପରେ ଏବେ ସିଧା ହ୍ୟାକିଂ କରିବ AI!
ବିନା ହ୍ୟାକରରେ କଲା ସାଇବର ଆଟାକ୍!
ଏପର୍ଯ୍ୟନ୍ତ କୁହାଯାଉଥିଲା କୃତ୍ରିମ ବୁଦ୍ଧିମତ୍ତା ବା AI ମଣିଷର କାମକୁ ସହଜ କରିବ। କିନ୍ତୁ ସମୟ ବଦଳିବା ସହ AIକୁ ନେଇ ଆଉ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଯେଉଁ AIକୁ ନେଇ ଚାକିରି ଯିବାର ଚିନ୍ତା ବଢ଼ୁଥିଲା, ଏବେ ସେହି AI ନିଜେ ସାଇବର ଆକ୍ରମଣ କରି ଲୋକଙ୍କୁ ବ୍ଲାକମେଲ କରିବା ଦିଗରେ ଆଗେଇଛି । ଅର୍ଥାତ୍ ଏବେ ମଣିଷ ନୁହେଁ, ନିଜେ ଏଆଇ ସେକେଣ୍ଡରେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସଫା କରିଦେବ। ସାଇବର ସୁରକ୍ଷା କମ୍ପାନୀ ସିସଡିଗର ଗବେଷକମାନେ ‘ଜେଡ୍ପଫର (JadePuffer)’ ନାମକ ଏକ AI ଏଜେଣ୍ଟକୁ ଚିହ୍ନଟ କରିଛନ୍ତି, ଯାହାକୁ ବିଶ୍ୱର ପ୍ରଥମ ସ୍ୱୟଂଚାଳିତ AI ରାନସମୱେର ବୋଲି କୁହାଯାଉଛି। ଗବେଷକଙ୍କ ଦାବି, ଏହା ବିଶ୍ୱର ପ୍ରଥମ ମାମଲା ଯେଉଁଠି ସାଇବର ଆକ୍ରମଣ ଜରିଆରେ ଟଙ୍କା ମାଗିବାର ପୂରା ଟେକ୍ନିକାଲ କାମକୁ ଏଆଇ ନିଜେ ପୂରା କରିଛି । ଏହି ଖବର ସାଇବର ସୁରକ୍ଷା ଦୁନିଆରେ ଚିନ୍ତା ବଢ଼ାଇଛି । କାରଣ ଯଦି ଏଆଇ ନିଜେ ହ୍ୟାକିଂ ଶିଖିଯିବ, ତେବେ ଆଗାମୀ ଦିନରେ ଏଭଳି ଆକ୍ରମଣ ପୂର୍ବାପେକ୍ଷା ବ୍ୟାପକ ଓ ଅଧିକ ବିପଦପୂର୍ଣ୍ଣ ହେବ ।
ସାଧାରଣତଃ ରାନସମୱେର ସଫ୍ଟଓ୍ବେରର ଆକ୍ରମଣରେ ଜଣେ ହ୍ୟାକର୍ ବ୍ୟକ୍ତି ସିଷ୍ଟମ୍ରେ ପ୍ରବେଶ କରି ତଥ୍ୟ ଚୋରି କରନ୍ତି, ଫାଇଲକୁ ଏନକ୍ରିପ୍ଟ କରନ୍ତି ଏବଂ ପରେ ବିଟକଏନ୍ ଭଳି କ୍ରିପ୍ଟୋକରେନ୍ସିରେ ଏହାକୁ ବ୍ୟବହାର କରନ୍ତି । ଆକ୍ରମଣକାରୀ ତଥ୍ୟ ଫେରାଇବା ବଦଳରେ ଟଙ୍କା ଦାବି କରନ୍ତି । ଟଙ୍କା ନ ମିଳିଲେ, ତଥ୍ୟ ସବୁଦିନ ପାଇଁ ନଷ୍ଟ କରିବା କିମ୍ବା ଇଣ୍ଟରନେଟ୍ରେ ଲିକ୍ କରିବାର ଭୟ ଦେଖାଇଥାନ୍ତି । କିନ୍ତୁ ଜେଡ୍ପଫର ମାମଲାରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ପ୍ରାରମ୍ଭିକ ପହଞ୍ଚ ମିଳିବା ପରେ AI ନିଜେ ସର୍ଭର ଭିତରେ ପଶି ଦୁର୍ବଳତା ଚିହ୍ନଟ କଲା, କ୍ଲାଉଡ୍ କ୍ରେଡେନ୍ସିଆଲ, API Key, ଡାଟାବେସ୍ ଲଗଇନ୍ ଓ କ୍ରିପ୍ଟୋ ୱାଲେଟ୍ ଖୋଜିଲା। ଲଗଇନ୍ ବିଫଳ ହେବା ପରେ ନିଜେ ନିଜ କୋଡ୍ ସଂଶୋଧନ କରି ସମସ୍ୟାର ସମାଧାନ କଲା । ସବୁଠୁ ଆଶ୍ଚର୍ଯ୍ୟକର କଥା ଥିଲା, ଏଆଇ ଯେତେବେଳେ କୌଣସି ସୋପାନରେ ସମସ୍ୟାର ସମ୍ମୁଖୀନ ହେଲା, ନିଜେ ନିଜର ଭୁଲକୁ ସୁଧାରିଲା ଏବଂ ପ୍ରାୟ ୩୧ ସେକେଣ୍ଡରେ ପରବର୍ତ୍ତୀ ଉପାୟ ଆପଣେଇ ଆକ୍ରମଣ ଜାରି ରଖିଲା । ଅର୍ଥାତ୍ ପ୍ରତି ଥର ମଣିଷର ଆବଶ୍ୟକତା ଦରକାର ପଡ଼ିଲା ନାହିଁ । ତଥାପି ଅଧିକ ଷ୍ଟଡି ପରେ ସିସଡିଗ୍ ସ୍ପଷ୍ଟ କରିଛି ଯେ AI ସମ୍ପୂର୍ଣ୍ଣ ଏକା ଆକ୍ରମଣ କରିନଥିଲା। ଜଣେ ବ୍ୟକ୍ତି ପ୍ରାରମ୍ଭିକ ଲକ୍ଷ୍ୟ ଚୟନ ଓ ପ୍ରବେଶ ବ୍ୟବସ୍ଥା କରିଥିଲେ। କିନ୍ତୁ ଥରେ ସିଷ୍ଟମ୍ରେ ପ୍ରବେଶ କରିବା ପରେ ପରବର୍ତ୍ତୀ ସମସ୍ତ ଟେକ୍ନିକାଲ କାର୍ଯ୍ୟ AI ନିଜେ ସମ୍ଭାଳିଥିଲା। ଅର୍ଥାତ୍ ହ୍ୟାକରଙ୍କ ସ୍ଥାନରେ AI ନିଷ୍ପତ୍ତି ନେଇ, ସମସ୍ୟା ବୁଝି, ନୂଆ ଉପାୟ ଖୋଜି ଆକ୍ରମଣକୁ ଆଗକୁ ବଢ଼ାଇପାରୁଛି।
ତେବେ ଜେଡ୍ପଫର ମାମଲା କମ୍ପାନିଗୁଡ଼ିକର ସର୍ଭର୍ ସହ ସଂଶ୍ଳିଷ୍ଟ । ସାଧାରଣ ୟୁଜର୍ଙ୍କ ଫୋନ୍ ବା ଲାପ୍ଟପ୍ରେ ଏଭଳି ଆକ୍ରମଣ ରେକର୍ଡ ହୋଇନାହିଁ । ବିଶେଷଜ୍ଞମାନଙ୍କ ମତରେ ଏହା ସାଇବର ଅପରାଧର ଏକ ନୂଆ ଯୁଗର ସଙ୍କେତ। AI ଦ୍ୱାରା ହ୍ୟାକିଂ ଅଧିକ ଦ୍ରୁତ, ଶସ୍ତା ଓ ସହଜ ହୋଇପାରିବ। ଏଥିରେ ଦକ୍ଷ ହ୍ୟାକର୍ର ଆବଶ୍ୟକତା ମଧ୍ୟ କମିଯିବ। ବର୍ତ୍ତମାନ ଏହି ଆକ୍ରମଣ କେବଳ କମ୍ପାନି ସର୍ଭର ପର୍ଯ୍ୟନ୍ତ ସୀମିତ ଥିଲେ ମଧ୍ୟ ଭବିଷ୍ୟତରେ ବ୍ୟାଙ୍କ, ହସ୍ପିଟାଲ, ସରକାରୀ ବିଭାଗ ଓ ବଡ଼ ବ୍ୟବସାୟିକ ସଂସ୍ଥା ଏହାର ଟାର୍ଗେଟ୍ ହୋଇପାରନ୍ତି। ତେଣୁ AI ଯେଉଁଠି ମଣିଷର କାମକୁ ସହଜ କରୁଛି, ସେହି AI ଅପରାଧୀଙ୍କ ହାତରେ ପଡ଼ିଲେ ଆଗାମୀ ଦିନରେ ସାଇବର ସୁରକ୍ଷା ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।