Latest Odisha News

BREAKING NEWS

ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ; ଦାୟିତ୍ବରୁ ହଟିଲେ ପ୍ରଧାନ ଶିକ୍ଷକ

ଭବାନୀପଟଣା: ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ । କାମନାରେ ଅନ୍ଧ ହୋଇ ଭୁଲ କାମ କରିଛନ୍ତି ଶିକ୍ଷକ । କଳାହାଣ୍ଡି ଜିଲ୍ଲା ମଦନପୁର SSD ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ପ୍ରଧାନ ଶିକ୍ଷକ ଦାୟିତ୍ବରୁ ହଟିଛନ୍ତି। ମାଟ୍ରନ ଓ ୨ ରୋଷେୟାଙ୍କୁ ପ୍ରଧାନଶିକ୍ଷକ ମାନସିକ ନିର୍ଯାତନା ଓ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହେବା ପରେ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ହୋଇଛି।

ଏହି ଘଟଣା ବାବଦରେ ଅଭିଯୋଗକାରୀମାନେ ଜିଲ୍ଲାମଙ୍ଗଳ ଅଧିକାରୀଙ୍କୁ କହିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ମଦନପୁର SSD ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ନିର୍ଦ୍ଦେଶ ଅନୁଯାୟୀ, ତାଙ୍କୁ ତୁରନ୍ତ କଳାହାଣ୍ଡି ଜିଲ୍ଲା କଲ୍ୟାଣ ଅଧିକାରୀ (DWO)ଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଦେଶ ଅନୁଯାୟୀ, ସେହି ସ୍କୁଲର ବିଜ୍ଞାନରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (TGT) ମୁକେଶ ନାୟକଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଜିଲ୍ଲାପାଳ ଏବଂ କଳାହାଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ଦ୍ୱାରା “ପ୍ରଶାସନିକ ଜରୁରୀକାଳୀନ ସ୍ଥିତି” ଦର୍ଶାଇ ଏହି ଆଦେଶ ଜାରି କରାଯାଇଛି। ମହିଳା କର୍ମଚାରୀଙ୍କ ପ୍ରତି ଅଶାଳୀନ ବ୍ୟବହାର ସମ୍ପର୍କରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଦାଖଲ ହେବା ପରେ ଏହି ଘଟଣା ଘଟିଛି। ଏମାନଙ୍କୁ ପ୍ରଧାନଶିକ୍ଷକ ଅଶାଳୀନ କଥା କହିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି କୁହାଯାଇଛି । ଅଭିଯୋଗରେ ଜାତିଆଣ ଆକ୍ଷେପ, ଅଶାଳୀନ ବ୍ୟବହାର, ମାନସିକ ନିର୍ଯାତନା ଓ ଚାକିରିରୁ ବାହାର କରିଦେବାକୁ ଧମକ ଦେବା ଭଳି ସଂଗୀନ ଅଭିଯୋଗ ରହିଛି। ଏହାସହ ଉପସ୍ଥାନ ଖାତାରେ ଅନିୟମିତତା ଏବଂ ହଇରାଣ ହରକତ କରାଯାଉଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ହୋଇଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave A Reply

Your email address will not be published.