Latest Odisha News

BREAKING NEWS

ପୁରୁଣା ଗାଡ଼ି ବିକିବାକୁ ଭାବୁଛନ୍ତି କିମ୍ବା ନୂଆ କିଣିବାକୁ ଯାଉଛନ୍ତି? ଆଗ ପଢ଼ି ନିଅନ୍ତୁ ପରିବହନ ବିଭାଗର ଏହି ନୂଆ କଡ଼ା ନିୟମ

ଭୁବନେଶ୍ୱର: ରାଜ୍ୟରେ ଏବେ ଟ୍ରାଫିକ୍ ନିୟମ ସହ ଆରଟିଓ କାର୍ଯ୍ୟାଳୟର ନିୟମକାନୁନ୍‌କୁ ମଧ୍ୟ ଅଧିକ କଡ଼ାକଡ଼ି କରାଯାଉଛି। ଯଦି ଆପଣ ନୂଆ ଗାଡ଼ିଟିଏ କିଣିବାକୁ ମନ ବଳାଉଛନ୍ତି କିମ୍ବା ନିଜର ପୁରୁଣା ଗାଡ଼ିଟିକୁ ଅନ୍ୟ କାହାକୁ ବିକ୍ରି କରିବାକୁ ଯାଉଛନ୍ତି, ତେବେ ଟିକିଏ ଅଟକି ଯାଆନ୍ତୁ। କାରଣ, ଗାଡ଼ିର କାଗଜପତ୍ର କାମ ଏଣିକି ଆଉ ପୂର୍ବ ଭଳି ସହଜ ହୋଇ ରହିନାହିଁ। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ନୂଆ ଏସ୍‌ଓପି ଜାରି କରାଯାଇଛି, ଯେଉଁଥିରେ ଏକ ବିଶେଷ ଡକ୍ୟୁମେଣ୍ଟକୁ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ କରାଯାଇଛି।

 

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଣିକି ରାଜ୍ୟରେ ଗାଡ଼ିର ରେଜିଷ୍ଟ୍ରେସନ୍ ଏବଂ ମାଲିକାନା ହସ୍ତାନ୍ତର ପାଇଁ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ।

 

ପୂର୍ବରୁ ଭୋଟର କାର୍ଡ କିମ୍ବା ଅନ୍ୟାନ୍ୟ ସାଧାରଣ ପରିଚୟପତ୍ର ଦେଇ ଲୋକେ ସହଜରେ ଗାଡ଼ି ନିଜ ନାମରେ କରାଇ ନେଉଥିଲେ। କିନ୍ତୁ ଏବେ ଆଧାର ଅଥେଣ୍ଟିକେସନ୍ ବିନା ଆରଟିଓରେ କୌଣସି ବି ଫାଇଲ୍ ଆଗକୁ ବଢ଼ିବ ନାହିଁ। ବିଶେଷ କରି ସେକେଣ୍ଡ୍ ହ୍ୟାଣ୍ଡ ଗାଡ଼ି କିଣାବିକା କ୍ଷେତ୍ରରେ କ୍ରେତା ଏବଂ ବିକ୍ରେତା ଉଭୟଙ୍କ ଆଧାର ଲିଙ୍କ୍ କରାଯିବା ସହ ବାୟୋମେଟ୍ରିକ୍ କିମ୍ବା ଓଟିପି ମାଧ୍ୟମରେ ଯାଞ୍ଚ କରାଯିବ। କେବଳ ସେତିକି ନୁହେଁ, ଗାଡ଼ିର ଆରସିରେ ଠିକଣା ପରିବର୍ତ୍ତନ ପାଇଁ ମଧ୍ୟ ଏହା ଜରୁରୀ ହେବ।

 

ସାଧାରଣତଃ ନକଲି ପରିଚୟପତ୍ର ଦେଇ ଗାଡ଼ି ପଞ୍ଜୀକରଣ କରିବା କିମ୍ବା ଚୋରା ଗାଡ଼ିଗୁଡ଼ିକୁ ବିନା ଅନୁମତିରେ ଅନ୍ୟ ନାମରେ ଟ୍ରାନ୍ସଫର କରିବା ଭଳି ଠକେଇ ମାମଲା ବାରମ୍ବାର ସାମ୍ନାକୁ ଆସୁଥିଲା। ଏପରିକି ଦୁର୍ଘଟଣା ଘଟାଇ ଫେରାର୍ ହେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ପୋଲିସକୁ ନାକେଦମ୍ ହେବାକୁ ପଡ଼ୁଥିଲା। ଏହିସବୁ ଜାଲିଆତି ଉପରେ ରୋକ୍ ଲଗାଇବା ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ପରିବହନ ବିଭାଗ ସମସ୍ତ ଆରଟିଓଙ୍କୁ ଏହି ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଆସିପାରିବ।

 

ପରିବହନ ବିଭାଗର ଏହି ନିଷ୍ପତ୍ତି ପରେ ଲୋକଙ୍କୁ ଏବେ ଅଧିକ ସତର୍କ ରହିବାକୁ ପଡ଼ିବ, ଆରଟିଓ ଅଫିସ୍ ଯିବା ପୂର୍ବରୁ ନିଜ ଆଧାର କାର୍ଡରେ ନାମ ଏବଂ ଠିକଣା ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ।

 

ଆଧାର ସହ ଆପଣଙ୍କ ବର୍ତ୍ତମାନର ମୋବାଇଲ୍ ନମ୍ବର ଲିଙ୍କ୍ ଥିବା ନିହାତି ଜରୁରୀ, କାରଣ ଅନଲାଇନ୍ ପ୍ରକ୍ରିୟାରେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରକୁ ଯାଉଥିବା ଓଟିପି ବିନା ପ୍ରକ୍ରିୟା ସମ୍ପନ୍ନ ହୋଇପାରିବ ନାହିଁ।

 

ଯଦି ଆଧାର ଏବଂ ପୁରୁଣା ଆରସିରେ ନାମ କିମ୍ବା ବନାନରେ ତ୍ରୁଟି ଥାଏ, ତେବେ ଏହାକୁ ତୁରନ୍ତ ସଂଶୋଧନ କରାଇ ନିଅନ୍ତୁ।

 

ଏଣିକି ଦଲାଲଙ୍କ ହାତରେ ଟଙ୍କା ଧରାଇଦେଲେ ମଧ୍ୟ ବିନା ସଠିକ୍ ପ୍ରମାଣପତ୍ରରେ ଗାଡ଼ି କାମ ହୋଇପାରିବ ନାହିଁ। ତେଣୁ ଘରୁ ବାହାରିବା ପୂର୍ବରୁ ପ୍ରସ୍ତୁତ ହୋଇ ଯାଆନ୍ତୁ, ନଚେତ୍ ଅଧା ରାସ୍ତାରୁ ଆପଣଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିପାରେ।

Leave A Reply

Your email address will not be published.