Latest Odisha News

BREAKING NEWS

ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶା ପାଇଁ ଗୌରବ ଆଣିଲା ଏକ ନିଆରା ପ୍ରଜାତିର ବତକ। ମୟୂରଭଞ୍ଜର କୁଡ଼ୁ ବତକକୁ ମିଳିଛି ଜାତୀୟ ମାନ୍ୟତା। ଏହି ବତକ ଅଧିକାଂଶ ମୟୂରଭଞ୍ଜ ଜିଲ୍ଲାରେ ଦେଖାଯାଏ। ଇଏ ଏଭଳି ଏକ ଦେଶୀ ବତକ, ଯାହାକୁ ବାର୍ଡ-ଫ୍ଲୁ ହୁଏନି। ବର୍ଷକୁ ୧୫୦ ଅଣ୍ଡା ଦିଏ। ଦେଖିବାକୁ ଟିକେ ଅଲଗା। ଶରୀରର ଅଧା ରଙ୍ଗ ବାଦାମୀ ଓ କ୍ରିମ୍। ଆଉ ଅଧା ଧଳା ଓ କଳା ରଙ୍ଗ ମିଶା। ବେକରେ ଧଳା ରଙ୍ଗର ଗୋଲାକାର ଚିହ୍ନ ରହିଛି। ଚଞ୍ଚୁ ହଳଦିଆ ଓ କମଳା ରଙ୍ଗର ପାଦ। ଜୀବନ କାଳ ମଧ୍ୟରେ ପ୍ରାୟ ଦେଢ଼ କେଜି ପର୍ଯ୍ୟନ୍ତ ବଢ଼ିପାରେ। ଏହି ବତକ ମାଂସ ଓ ଅଣ୍ଡା ପାଇଁ ଉଦ୍ଦିଷ୍ଟ।

ସାଧାରଣ ବତକଠୁ ଏହା ସ୍ୱତନ୍ତ୍ର ହୋଇଥିବାରୁ ଏହାର ଗୁଣଗାନ ଏବେ ସର୍ବଭାରତୀୟ ସ୍ତରରେ ହେବାକୁ ଯାଉଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବତକକୁ ଜାତୀୟସ୍ତରରେ ପ୍ରାଣୀ ପ୍ରଜାତି ପଞ୍ଜୀକରଣ ପ୍ରମାଣପତ୍ର(ଏବିଆର୍ସି) ମିଳିଛି । ଜାତୀୟ ମାନ୍ୟତା ପାଇବା ଦ୍ୱାରା ସାରା ଦେଶରେ ଏହି ବତକକୁ ସମସ୍ତେ ଜାଣିବେ। ଏହାର ଉତ୍ପାଦନ ମଧ୍ୟ ଅଧିକ ହୋଇପାରିବ। କେବଳ ମୟୂରଭଞ୍ଜ ନୁହେଁ ସାରା ଓଡ଼ିଶାରେ ଏହାକୁ ପାଳନ କରାଯିବ।

ଗତ ଦୁଇବର୍ଷରୁ ଅଧିକ ସମୟ ହେବ କୁଡ଼ୁ ବତକ ଉପରେ ଗବେଷଣା ହେଉଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ରୋଡ୍‌ରେ ଥିବା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର୍)ର କୁକ୍କୁଟ ଅନୁସନ୍ଧାନ ନିର୍ଦ୍ଦେଶାଳୟ ପକ୍ଷରୁ ବତକ ଉପରେ ତଥ୍ୟ ସଂଗ୍ରହ କରାଯାଉଥିଲା। ଏଥିପାଇଁ ଏକ ଟିମ୍ ମୟୂରଭଞ୍ଜ ଯାଇଥିଲା। ଅନୁସନ୍ଧାନରୁ ଜଣାପଡ଼ିଲା, କୁଡ଼ୁ ବତକ କେବଳ ମୟୂରଭଞ୍ଜ ଓ ଏହାର ଆଖପାଖ ଆଦିବାସୀ ବହୁଳ ଜନବସତିରେ ଦେଖାଯାନ୍ତି। ପ୍ରାୟ ୬୪ହଜାର କୁଡ଼ୁ ବତକ ସେଠାରେ ଅଛନ୍ତି। ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ ସାଧାରଣ ବତକଙ୍କ ଠାରୁ ଏମାନେ ଭିନ୍ନ ଅଟନ୍ତି। ସାଧାରଣ ବତକଟିଏ ବାର୍ଷିକ ୮୦ଟି ଅଣ୍ଡା ଦେଉଥିବା କୁଡ଼ୁ ଦୁଇଗୁଣ ଅଣ୍ଡା ଦେବ। ଏହି ଅଣ୍ଡାର ଓଜନ ୬୪ ଗ୍ରାମ। ଅଣ୍ଡା ସହ ବତକର ମାଂସ ମଧ୍ୟ ସ୍ୱାଦିଷ୍ଟ ଓ ପୁଷ୍ଟିସାରରେ ଭରପୂର।

ବଡ଼କଥା, ଏହି ବତକଙ୍କୁ ରୋଗ ଛୁଏଁନି । ବିଶେଷକରି ବାର୍ଡ-ଫ୍ଲୁ ଭଳି ମାରାତ୍ମକ ରୋଗ ଆଦୌ ହୁଏନି । ଆଦିବାସୀ ଅଞ୍ଚଳରେ ଜଙ୍ଗଲ ଓ ସନ୍ତସନ୍ତିଆ ସ୍ଥାନରେ ବୁଲିବୁଲି ଏମାନେ ପୋକଜୋକ ସଂଗ୍ରହ କରି ଖାଆନ୍ତି । ସେଥିପାଇଁ ବତକ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ମାତ୍ରାରେ ରହିଛି । ଅଣ୍ଡିରା ବତକ ୧୩ଶହ ଗ୍ରାମ ପର୍ଯ୍ୟନ୍ତ ବଢ଼ୁଥିବା ବେଳେ ମାଈ ୧୨ଶହ ଗ୍ରାମ ଓଜନର ହୋଇପାରେ । ସେଥିପାଇଁ ଏହାର ଚାହିଦା କାହିଁରେ କେତେ । ଆଦିବାସୀମାନଙ୍କ ଏହା ପ୍ରମୁଖ ଖାଦ୍ୟ ହୋଇଥିବା ବେଳେ ସେମାନେ ଏହାକୁ ବିକ୍ରି କରି ପେଟ ପୋଷନ୍ତି ।

ରାଜ୍ୟ ସରକାରଙ୍କ ପଶୁ ସମ୍ପଦ ବିଭାଗ ଓ କୁକ୍କୁଟ ଅନୁସନ୍ଧାନ ନିର୍ଦ୍ଦେଶାଳୟ (ଭୁବନେଶ୍ୱର କେନ୍ଦ୍ର) ପକ୍ଷରୁ ବତକକୁ ଜାତୀୟ ମାନ୍ୟତା ପାଇଁ ଆଇସିଏଆରର ବ୍ରିଡ୍ ରେଜିଷ୍ଟ୍ରେସନ୍ କମିଟି ନିକଟରେ ଗତବର୍ଷ ନଭେମ୍ବର ମାସରେ ଆବେଦନ କରାଯାଇଥିଲା । କମିଟି ଏହା ଉପରେ ତର୍ଜମା କରି ଏହି ବତକକୁ ପ୍ରମାଣପତ୍ର ପ୍ରଦାନ କରିଛି ବୋଲି କୁକ୍କୁଟ ଅନୁସନ୍ଧାନ ନିର୍ଦ୍ଦେଶାଳୟ, ଭୁବନେଶ୍ୱର କେନ୍ଦ୍ର ମୁଖ୍ୟ ଡ. ସୁବ୍ରତ କୁମାର ଭଞ୍ଜ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.