ପୁରୀ: ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣଶୂନ୍ୟ କରିବାକୁ ସମସ୍ତ ବ୍ୟବସ୍ଥା ହୋଇଛି। ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ରଥଯାତ୍ରାକୁ ନେଇ କଣ କଣ ସବୁ ବ୍ୟବସ୍ଥା ହୋଇଛି ତାହାକୁ ନେଇ ସମସ୍ତ ତଥ୍ୟ ଦେଇଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ।
ରଥଯାତ୍ରା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ସହାୟତା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି NDRFର ସ୍ବତନ୍ତ୍ର ଟିମ୍। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ସମୁଦ୍ର କୂଳରେ ନିୟୋଜିତ ହେବେ ୩ଶହରୁ ଉର୍ଦ୍ଧ୍ବ ଲାଇଫ ଗାର୍ଡ। ସମୁଦ୍ରରେ ସ୍ନାନ ବେଳେ ଯେପରି କୌଣସି ଅଘଟଣ ନହେବ ସେଥିଲାଗି ଲାଇଫଗାର୍ଡ ଙ୍କୁ ଦିଆଯାଇଛି ଟ୍ରେଂନିଙ୍ଗ। ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ସମୁଦ୍ର ତଟରେ କୋଷ୍ଟଗାର୍ଡଙ୍କ ସମେତ ଭାରତୀୟ ନୌସେନାର ରହିବ କଡା ପହରା।
କୌଣସି ଅପ୍ରତ୍ୟାଶିତ ଦୁର୍ଯ୍ୟୋଗ କିମ୍ବା ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ମୁକାବିଲା କରିବା ପାଇଁ ଏହି ଦଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଅନ୍ୟ ଏକ ଦଳକୁ CBRN ଅର୍ଥାତ୍ ରାସାୟନିକ, ଜୀବାଣୁ, ବିକିରଣ ଓ ପରମାଣବିକ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ମୁତୟନ କରାଯାଇଛି। ଏହି ଟିମ୍ରେ CBRN କ୍ଷେତ୍ରରେ ପ୍ରଶିକ୍ଷିତ ଯବାନଙ୍କ ସହ ଆଧୁନିକ ସୁରକ୍ଷା ଉପକରଣ ଉପଲବ୍ଧ ରହିଛ । ରଥଯାତ୍ରା ପୂର୍ବରୁ ସମସ୍ତ NDRF ଟିମ୍କୁ ଆବଶ୍ୟକ ବ୍ରିଫିଂ ଦିଆଯାଇଛି। ଏହାସହ ରେଳ ସୁରକ୍ଷା ଉପରେ ମଧ୍ୟ ବ୍ୟବସ୍ଥା କରାଯାଇଛି।